କୋକସରା/କ୍ରାନ୍ତିକ୍ଷେତ୍ର : ରକ୍ତକୁ ପାଣି କରି ଫସଲ ଅମଳ କରିବା ପରେ ବି ସରକାରଙ୍କ ପାତର ଅନ୍ତର ନୀତି ଯୋଗୁଁ ମଣ୍ଡିରେ ଧାନ ବିକିବା ପାଇଁ ସୁଯୋଗ ପାଉନାହିଁ ଚାଷୀ। ପଞ୍ଜିକରଣ ସୁବିଧାରୁ ବଞ୍ଚିତ ହୋଇ ଅନ୍ନଦାତା ଆଜି ନିରୁପାୟ। ପି-ପାସ ପୋର୍ଟାଲ ଖୋଲିବା ଓ ପଞ୍ଜିକରଣ ଦାବିରେ କୋକସରାଠାରେ ଗତ ୬ ଦିନ ହେଲା ଗଣଧାରଣା ଜାରି ରହିଥିବା ବେଳେ, ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ଚାଷୀମାନେ ପୋଷ୍ଟ କାର୍ଡ ପଠାଇଛନ୍ତି। କୋକସରା କୃଷକ ସଚେତନ ମଞ୍ଚର ସଭାପତି ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଅଞ୍ଚଳର ଶତାଧିକ ଚାଷୀ ପୋଷ୍ଟକାର୍ଡ ପଠାଇଛନ୍ତି। ସୂଚନା ଯେ’ ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷ କରିଥିବା କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଚାଷୀଙ୍କ ପାଇଁ ପି-ପାସ ପୋର୍ଟାଲରେ ବିକଳ୍ପ ଆସି ନଥିବାରୁ ଚାଷୀମାନେ ନିଜ ନାମ ପଞ୍ଜିକରଣ କରିପାରି ନାହାଁନ୍ତି, ଏହା କୁ ନେଇ ଅନେକ ଦାବିପତ୍ର ଓ ଗତ ୮ ତାରିଖରେ କୋକସରା ଠାରେ ହଜାର ହଜାର ଚାଷୀ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ନାହିଁ। ଯାହାକୁ ନେଇ ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ଚାଷୀ ସଂଘ ପକ୍ଷରୁ କୋକସରା ଠାରେ ଗତ ୬ଦିନ ହେଲା ଗଣଧାରଣାରେ ବସିଛନ୍ତି। ବୁଧବାର କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ସରକାରଙ୍କ ଉଦାସୀନତା କୁ ଦେଖି ଏକ ଅଭିନବ ପ୍ରୟାସ କରାଯାଇଛି। କୋକସରା ପୋଷ୍ଟ ଅଫିସ ନିକଟରେ ଅଞ୍ଚଳର ଚାଷୀମାନେ ଏକତ୍ରିତ ହୋଇ ନିଜର ଦୁଃଖ ଓ ଦାବି ସମ୍ପର୍କରେ ଉଲ୍ଲେଖ କରି ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ପୋଷ୍ଟ କାର୍ଡ ପଠାଇଛନ୍ତି। ଗୋଟିଏ ପଟେ ସରକାର ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା କଥା କହୁଥିବାବେଳେ, ମେଗା ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳର ଚାଷୀମାନଙ୍କ ପ୍ରତି ସରକାର ପାତର ଅନ୍ତର ନୀତି ଆପଣାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷକ ସଚେତନ ମଞ୍ଚ କୋକସରା, ସଭାପତି ଶିବ ପ୍ରସାଦ ପ୍ରଧାନୀଙ୍କ ସମେତ ଗୋବର୍ଦ୍ଧନ ବାଗ, ମିନିକେତନ ପ୍ରଧାନୀ, ଘନଶ୍ୟାମ ନାଏକ, ପ୍ରକାଶ ଚୌଧୁରୀ, ମନିଜୋର ପୋଡ଼, ଭୁବନେ ମାଝୀ, ହରେକୃଷ୍ଣ ନାଏକ, ହେମନ୍ତ ପ୍ରଧାନୀ, ସୁବାସ ଗହୀର, ବିଜୟ କୁମାର ସାହୁ, ନାରାୟଣ ପ୍ରଧାନୀ, ସିଦ୍ଧେଶ୍ୱର ନାଏକ, ରମେଶ ଶବର, ପାର୍ଥ ଗୋପାଳ, ଧନେଶ୍ୱର ପଣ୍ଡା, ଗିରିଧାରୀ ବିଶି, କେଶବ ବିଶି ସମେତ ଅନେକ ଚାଷୀ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ପୋଷ୍ଟ କାର୍ଡ ପ୍ରେରଣ କରିଥିଲେ।

