କ୍ରାନ୍ତିକ୍ଷେତ୍ର/ବ୍ୟୁରୋ : ରାଜ୍ୟରେ ବିକାଶର ନାରା ଭିତରେ ପୁଣି ସାମ୍ନାକୁ ଆସିଛି ଦୁର୍ଗମର ଜନନୀ ଯନ୍ତ୍ରଣା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ଲେକାଆମ ଗାଁକୁ ରାସ୍ତା ନଥିବାରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କ ପାଖକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ମାତ୍ର ଏଭଳି ସଙ୍କଟ ସମୟରେ ଜଣେ ଆମ୍ବୁଲାନ୍ସ ଚାଳକଙ୍କ ମାନବିକତା ଯୋଗୁଁ ଉଭୟ ମା’ ଓ ନବଜାତ ଶିଶୁକନ୍ୟାର ଜୀବନ ରକ୍ଷା ହୋଇପାରିଛି। ସୂଚନା ମୁତାବକ, ଲେକାଆମ ଗ୍ରାମର ସମ୍ବାରୁ ସାନ୍ତାଙ୍କ ପତ୍ନୀ ଦୂର ସାନ୍ତା (୩୫)ଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପଡ଼ୋଶୀ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଖରାପ ରାସ୍ତା ଯୋଗୁଁ ଗାଁଠାରୁ ୨ କିଲୋମିଟର ଦୂରରେ ଅଟକି ଯାଇଥିଲା। ସମୟର ଗୁରୁତ୍ୱକୁ ବୁଝି ଆମ୍ବୁଲାନ୍ସ ଚାଳକ ଡମ୍ବରୁ ହରିଜନ ନିଜେ ଚାଲି ଚାଲି ଗାଁରେ ପହଞ୍ଚିଥିଲେ ଏବଂ ପରିବାର ଲୋକଙ୍କ ସହ ମିଶି ପ୍ରସୂତିଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ତାଙ୍କୁ ମୈଦଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ଓ ଉଭୟ ସୁସ୍ଥ ଅଛନ୍ତି। ଆମପାଣି ପଞ୍ଚାୟତର କୁଟରୁ, ଲେକାଆମ, ବାଘଝରଣ, ସର୍ଗିପାନୀ ଭଳି ପ୍ରାୟ ଅଧା ଦର୍ଜନ ଦୁର୍ଗମ ଗାଁରେ ସ୍ୱାସ୍ଥ୍ୟ ସେବା ଆଜି ବି ବିପର୍ଯ୍ୟସ୍ତ। ନିଜ ବ୍ଲକ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାୟ ୨୪ କିଲୋମିଟରରୁ ଅଧିକ ଦୂର ହେଉଥିବାରୁ ଏହି ଆଦିବାସୀ ବହୁଳ ଅଞ୍ଚଳର ଲୋକେ ମାତ୍ର କିଛି କିଲୋମିଟର ଦୂରରେ ଥିବା ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଉପରେ ନିର୍ଭର କରନ୍ତି। ଗମନାଗମନ, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ବର୍ଷ ବର୍ଷ ଧରି ଏହି ଗାଁ ଗାଁ ଗୁଡ଼ିକର ଲୋକେ ଦାବି କରି ଆସୁଥିଲେ ମଧ୍ୟ ନେତା, ମନ୍ତ୍ରୀ କିମ୍ବା ପ୍ରଶାସନର ଆଖି କୁ ଦେଖାଯାଉ ନାହିଁ। ହସ୍ପିଟାଲ ବେଡ୍ରେ ମା’ର କୋଳରେ ହସୁଥିବା ନବଜାତ କନ୍ୟା ସନ୍ତାନଟି ଆଜି ବ୍ୟବସ୍ଥାକୁ ବିଦ୍ରୁପ କରୁଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତାକୁ ସଲାମ୍ କରୁଛି। ଚାଳକ ଡମ୍ବରୁ ହରିଜନ ନିଜ କର୍ତ୍ତବ୍ୟର ସୀମା ଡେଇଁ ଯେଉଁ ଉଦାହରଣ ସୃଷ୍ଟି କଲେ, ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଶାସନିକ ଅବହେଳାର ପାଚେରୀ ଭିତରେ ଛନ୍ଦି ହୋଇ ପଡ଼ିଥିବା କୋକସରାର ଏହି ଦୁର୍ଗମ ଆଦିବାସୀ ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୂର ହେଉଛି ଏବଂ ସରକାରଙ୍କ ମୌଳିକ ସେବା କେବେ ଗାଁ ମୁଣ୍ଡରେ ପହଞ୍ଚୁଛି, ତାହା ଏବେ ସବୁଠାରୁ ବଡ଼ ଅପେକ୍ଷା।

