ଗୋତମୁଣ୍ଡା-ଡାହିମାଲ ରାସ୍ତା କାମ ନ ସରୁଣୁ ‘ସ୍ୱାହା’

  • ଠିକାଦାରଙ୍କ ମନମାନି, ଅଧିକାରୀ ନିରବ!
  • ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ
  • କ୍ଷୁବ୍ଧ ଦୁଇ ଜିଲ୍ଲାର ୫୫  ଗ୍ରାମର ଗ୍ରାମବାସୀ

କ୍ରାନ୍ତିକ୍ଷେତ୍ର/ବ୍ୟୁରୋ : ଦୀର୍ଘ ୨୩ ବର୍ଷର ପ୍ରତୀକ୍ଷା ଓ ଦାବି ପରେ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାବାସୀଙ୍କ ପାଇଁ ଆରମ୍ଭ ହୋଇଥିବା ଗୋତମୁଣ୍ଡା-ଡାହିମାଲ ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି। ରାସ୍ତା କାମ ଶେଷ ହେବା ପୂର୍ବରୁ ହିଁ ପିଚୁ ଛାଡ଼ି ମାଟି ଦେଖାଗଲାଣି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରାୟ ୮ କିଲୋମିଟର ବିଶିଷ୍ଟ ଏହି ନୂତନ ରାସ୍ତା ପାଇଁ ୭ କୋଟି ୫୧ ଲକ୍ଷ ୩୨ ହଜାର ୮୨୧ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମାତ୍ର ଆଶ୍ଚର୍ଯ୍ୟର କଥା, ଟେଣ୍ଡର ପାଇଥିବା ମୂଳ ସଂସ୍ଥା ନିଜେ କାମ ନକରି ଲଡୁଗାଁର ଜଣେ ‘ସବ୍ କଣ୍ଟାକଟର’ ବା ଛାୟା ଠିକାଦାରଙ୍କୁ ଏହି ଦାୟିତ୍ୱ ଟେକି ଦେଇଥିବା ଚର୍ଚ୍ଚା ହେଉଛି। ଏହି ଠିକାଦାର ଜଣକ ବିଗତ ଦିନରେ ଅତି ନିମ୍ନମାନର କାମ କରି ଅଞ୍ଚଳରେ ଚର୍ଚ୍ଚା ଅର୍ଜନ କରିଥିବା ବେଳେ ତାଙ୍କ କାମ ତଦାରଖ କରିଥିବା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ନିଲମ୍ବିତ ମଧ୍ୟ ହୋଇଥିବା ଖବର ରହିଛି। ଏଭଳି ଠିକାଦାର ଦ୍ବାରା ଯଦି ରାସ୍ତା ନିର୍ମାଣ ହେବା ତା’ ହେଲେ ରାସ୍ତାର ଅବସ୍ଥା କଣ ହେବ ତାହା ସହଯେ ଅନୁମେୟ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାରେ ମୋରମ ବଦଳରେ ନାଲି ମାଟି ଏବଂ ଅତି ନିମ୍ନମାନର ମେଟାଲ ଓ ଚିପ୍ସ ବ୍ୟବହାର କରାଯାଇଛି। ପିଚୁ କାମର ସ୍ଥିତି ଏପରି ଯେ, ସାମାନ୍ୟ ଚାରିଚକିଆ ଯାନଟିଏ ଗଲେ ମଧ୍ୟ ପିଚୁ ଚାପୁଡ଼ା ଉଠିଯାଉଛି। ବର୍ତ୍ତମାନ ଚାଲିଥିବା କଂକ୍ରିଟ କାର୍ଯ୍ୟରେ ମଧ୍ୟ ସମାନ ନିମ୍ନମାନର କାମ ଜାରି ରହିଛି। ଏହି ପ୍ରମୁଖ ରାସ୍ତା ଉପରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ୨୫ଟି ଗ୍ରାମ ପଞ୍ଚାୟତର ପ୍ରାୟ ୫୫ଟି ଗ୍ରାମର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ତେବେ ନିର୍ମାଣ ସ୍ଥଳରେ ସୂଚନା ଫଳକ ଲାଗି ନଥିବା ଓ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନଥିବା ଫଳରେ ଠିକାଦାର ନିଜ ମନମାନି ଚଳାଇଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନଥିବାରୁ ଅଞ୍ଚଳର ଜଣେ ସଚେତନ ବ୍ୟକ୍ତି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦେଇଛନ୍ତି। ଏହା ସତ୍ତ୍ୱେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଠିକା ସଂସ୍ଥା ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ଯାହା ସେମାନଙ୍କ ମଧୁଚନ୍ଦ୍ରିକା ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି। ସ୍ଥାନୀୟ ଜନସାଧାରଣ ଏହି ଦୁର୍ନୀତିଗ୍ରସ୍ତ ଠିକା ସଂସ୍ଥାକୁ ତୁରନ୍ତ କଳା ତାଲିକାଭୁକ୍ତ କରିବା ସହ ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି। ଏ ସମ୍ପର୍କରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତିଲୋତ୍ତମା ପ୍ରଧାନଙ୍କୁ ପଚାରିବାରୁ ସେ ଅତ୍ୟନ୍ତ ହାଲୁକା ଭାବେ ଉତ୍ତର ଦେଇଛନ୍ତି, ଯଦି ନିମ୍ନମାନର କାର୍ଯ୍ୟ ହେଉଛି ତେବେ ଆମେ ତଦାରଖ କରିବୁ ବୋଲି କହିଛନ୍ତି। ଅଧିକାରୀଙ୍କ ଏପରି ଦାୟିତ୍ୱହୀନ ମନ୍ତବ୍ୟ ଲୋକଙ୍କ ଆକ୍ରୋଶକୁ ଆହୁରି ଦ୍ୱିଗୁଣିତକରିଛି।

Leave a Reply

Your email address will not be published. Required fields are marked *