କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ପାଇଁ ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଏକଦା ଜିଲ୍ଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ଗୁରୁତ୍ଵବହନ କରିଥିବା କେସିଙ୍ଗା ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ପ୍ରାୟ ୧୮ ବର୍ଷ ହେଲାଣି ବାପା ଛେଉଣ୍ଡ ହୋଇ ଯାଇଛି। ୧୯୬୬ ମସିହା ରେ ଅସ୍ଥିତ୍ୱରେ ଆସିଥିବା କେସିଙ୍ଗା ନିର୍ବାଚନ ମଣ୍ଡଳୀ ୨୦୦୯ ମସିହାରେ ରାଜନୈତିକ ଅଭିସନ୍ଧି ଖଣ୍ଡଯୁଦ୍ଧ ପାଇଁ ଅଧା ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରେ ଓ ଅଧା ନର୍ଲା ନିର୍ବାଚନ ମଣ୍ଡଳୀରେ ମିଶି ନିଜର ଅସ୍ତିତ୍ବ ହରାଇଥିଲା। ଫଳରେ ମୂରବୀବିହୀନ ସହର ଭାବରେ ରହିଯାଇଛି କେସିଙ୍ଗା ସହର, ଏଠାରେ ସମସ୍ୟା ମାଳମାଳ ହେଲେ ସମାଧାନ ହେଉନାହିଁ, ବଡ଼ ମେଡିକାଲ ଅଛି ହେଲେ ଅବ୍ୟବସ୍ଥା ଓ ବିଶେଷଜ୍ଞ ଅଭାବ, ଜିଲ୍ଲାର ସବୁଠୁ ଓସାରିଆ ଜାତୀୟ ରାଜପଥ ଅଛି ହେଲେ ଟ୍ରାଫିକ ସମସ୍ୟା, ପ୍ରାୟ ପାଖା ପାଖି ୪ ଶହ କୋଟି ଟଙ୍କା ବ୍ୟୟରେ ରେଳ ଓଭର ବ୍ରିଜ ହେଉଛି ହେଲେ ତାହାର ଅବସ୍ଥିତି କୁ ନେଇ ବଢୁଛି ଅସନ୍ତୋଷ । ଭିତ୍ତିଭୂମି, ବଜାର ଓ ପରିବହନର ସମସ୍ତ ସୁବିଧା ଥାଇ କେସିଙ୍ଗା ସୂତାକଳ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଛି ଏମିତି ଅନେକ ସମସ୍ୟା ଦେଖିବାକୁ ମିଳୁଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ର ଅଭାବରୁ ସମସ୍ୟା କମିବା ପରିବର୍ତେ ବଢ଼ିବାରେ ଲାଗିଛି। ସେପଟେ ଚଳିତ ବର୍ଷ ନିର୍ବାଚନ ମଣ୍ଡଳୀର ପୁନ ସିମାନିର୍ଧାରଣ ହେବ ବୋଲି ଜଣାପଡିବା ପରେ କେସିଙ୍ଗା ରେ ଏହାର ପ୍ରତିକ୍ରିୟା ଆରମ୍ଭ ହୋଇ ଯାଇଛି। ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ ସହିତ ଦାବୀ ଉପସ୍ଥାପନ କରାଯାଉଛି। ବହୁତ ଶୀଘ୍ର ଉକ୍ତ ବିଷୟକୁ ନେଇ ସହରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ। ଏନେଇ କେସିଙ୍ଗାର ଏକ ସାମାଜିକ ଗଣମାଧ୍ୟମ ସତ୍ୟର ସ୍ୱର ପକ୍ଷରୁ ସହରରେ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ପୋଷ୍ଟର ଲଗାଇ ଅଞ୍ଚଳବାସୀ ଙ୍କୁ ଏକଯୁଟ ହୋଇ ସରକାର ଙ୍କ ପାଖରେ ଦାବୀ ଉପସ୍ଥାନ ସହ ଦରକାର ପଡିଲେ ଅହିଂସା ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ସଚେତନ କରାଉଛି।

Leave a Reply

Your email address will not be published. Required fields are marked *