ଭିଜିଲାନ୍ସ ଜାଲରେ ରାୟଗଡା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ;

ରାୟଗଡା/କ୍ରାନ୍ତିକ୍ଷେତ୍ର(ପ୍ରଶାନ୍ତ ସେନାପତି) : ରାୟଗଡା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍ଥାନୀୟ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ଧରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଠିକାଦାର ଜଣକ ଏନେଇ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଏହାପରେ ରାୟଗଡା ଭିଜିଲାନ୍ସ ଡିଏସପି ସୂର୍ଯ୍ୟକାନ୍ତି ଟାକ୍ରୀ ଓ ଡିଏସପି ଅଭୟ ପ୍ରଧାନଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ କତୁରୁ ନିକଟସ୍ଥ ସରକାରୀ ବାସଭବନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ୨ ଲକ୍ଷ ଟଙ୍କା ଜବତ କରିଥିବାବେଳେ, ପୂର୍ବରୁ ଲଗାଯାଇଥିବା ରାସାୟନିକ ପାଉଡର ଅଧିକାରୀଙ୍କ ହାତରେ ଲାଗିଥିବା ଯାଞ୍ଚରେ ଜଣାପଡ଼ିଛି। ଏହା ଆଧାରରେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଛି। ଏହାସହ ନୟାଗଡ଼, କିଲ୍ଲା ଓ ଭୁବନେଶ୍ୱର ସ୍ଥିତ ତାଙ୍କର ବିଭିନ୍ନ ଠିକଣାରେ ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରସନ୍ନ ପଟନାୟକ ଚଳିତ ମାସରେ ଚାକିରିରୁ ଅବସର ନେବାକୁ ଥିଲେ। ତାଙ୍କ ବିରୋଧରେ ସ୍ଥାନୀୟ କଣ୍ଟ୍ରାକ୍ଟରମାନେ ପୂର୍ବରୁ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଆଣିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ହେବା ପରେ ତାଙ୍କର ସମ୍ପତ୍ତି ଓ ଅନ୍ୟାନ୍ୟ ତଥ୍ୟ ସାମ୍ନାକୁ ଆସିବ ବୋଲି ରାୟଗଡା ଭିଜିଲାନ୍ସ ଡିଏସପି ସୂର୍ଯ୍ୟକାନ୍ତି ଟାକ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *