କେସିଙ୍ଗା ଏନ୍ଏସିରେ ୬୦ ବର୍ଷ ପରେ ସହମତିରେ ହଟିଲା ଜବର ଦଖଲ 

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ୧୯୬୫ ରେ ଗଠିତ କେସିଙ୍ଗା ଏନ୍ଏସି ରେ ଅନେକ ସ୍ଥାନରେ ଜବରଦଖଲ ଅଭିଯୋଗ ଥିଲେ ମଧ୍ୟ କିଛି ବର୍ଷ ତଳେ କେବଳ ରାଜ ରାସ୍ତା କୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ଆଜି ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ହୋଇ ନ ଥିବା କେସିଙ୍ଗା ଏନ୍ଏସି ଇତିହାସ ଓଲଟାଇଲେ ଜଳ ଜଳ କରି ଦେଖାଯାଏ। ହେଲେ ଦୀର୍ଘ ୬୦ ବର୍ଷ ପରେ କେସିଙ୍ଗା ଏନ୍ଏସି ୱାର୍ଡ ନଂ ୧ ଓ ୨ ( ବଗାଡ) ରେ ରାସ୍ତା ପ୍ରଶସ୍ତି କରଣ ପାଇଁ ଜବର ଦାଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରାସ୍ତା ସଂକୀର୍ଣ୍ଣ ଯୋଗୁଁ ୱାର୍ଡ ବାସୀ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଦରକାର ସମୟରେ ଆମ୍ବୁଲାନ୍ସ ଗୋଟିଏ ମଧ୍ୟ ୱାର୍ଡ ଭିତରକୁ ଯାଇପାରୁ ନଥିଲା, ଉଚ୍ଛେଦ ପାଇଁ ଅନେକ ଦିନରୁ ଏନ୍ଏସି ସଜବାଜ ହେଉଥିଲେ ମଧ୍ୟ କୌଣସି ନା କୌଣସି କାରଣ ବଶତଃ କାର୍ଯ୍ୟ ଆଗକୁ ବଢ଼ି ପାରୁ ନ ଥିଲା, ହେଲେ ବର୍ତ୍ତମାନର ନଗରପାଳ ନୃପରାଜ ଯାଦବଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଫଳରେ ୱାର୍ଡ କାଉନସିଲର ଓ ୱାଡ଼ ବାସୀଙ୍କ ପ୍ରଚେଷ୍ଟାରେ ତହସିଲଦାରଙ୍କ ସହଯୋଗ କ୍ରମେ ବର୍ଷେ ଆଗରୁ ଡିମାରକେଶନ ଓ ଚିହ୍ନଟ ପ୍ରକ୍ରିୟା ସାରି ଯାଇଥିଲେ ମଧ୍ୟ କେହି ଘର ଭାଙ୍ଗି ନ ଥିଲେ।ହେଲେ ନୋଟିସ କୁ ଅପେକ୍ଷା ନ କରି ନିଜେ ନଗରପାଲ ନୃପରାଜ ଯାଦବ ଏବଂ ପ୍ରେମ ବନଛୋର ଘରଭଙ୍ଗା ନୋଟିସ କୁ ଅପେକ୍ଷା ନ କରି ଚିହ୍ନଟ ଅନୁଯାଇ ନିଜ ନିଜ ଘର ଭାଙ୍ଗି ୱାର୍ଡରେ ଉଦାହରଣ ସୃଷ୍ଟି କରିଥିଲେ। ପରେ ନୋଟିସ ମିଳିବା ପରେ ସମସ୍ତ ୱାର୍ଡ ବାସୀ ନିଜେ ନିଜ ସହମତିରେ ଜବର ଦଖଲ ଉଚ୍ଛେଦ କରି କେସିଙ୍ଗାରେ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର ଦିନ ସରକାରୀ ବୋଲଡୋଜର ସହ ନଗରପାଲ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ନିର୍ବାହୀ ଯନ୍ତ୍ରୀ ନାରାୟଣ ମହାରଣାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ ଅଭିଯାନ ରେ ସହଯୋଗ କରିଥିଲେ। ଜବରଦଖଲ ଉଚ୍ଛେଦକୁ ଆଖିଆଗରେ ରଖି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ମାଜିଷ୍ଟ୍ରେଟ ଦାଇତ୍ୱରେ ଉପସ୍ଥିତ ଥିବା ବେଳେ କୌଣସି ଅଘଟଣ କୁ ରୋକିବା ପାଇଁ ଭାରି ପୋଲିସ ମୁତୟନ ହୋଇଥିଲା। ନଗରପାଲ ଙ୍କ ଉଦ୍ୟମକୁ ୱାର୍ଡ ବାସୀ ପ୍ରଶଂସା କରିଥିବା ବେଳେ ଜବର ଦଖଲ ଉଚ୍ଛେଦ ପରେ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟ, ପକ୍କା ରାସ୍ତା, ଡ୍ରେନେଜ ସିଷ୍ଟମ କିପରି ହେବ ସେହି ବିଷୟରେ ଚିନ୍ତା କରିବା ପାଇଁ ୱାର୍ଡ ବାସୀ ଏନ୍ ଏ ସି କୁ ଦାବୀ କରିଥିବା ବେଳେ ନଗର ପାଲ ତାଙ୍କ ପ୍ରତିକ୍ରିୟାରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ପରେ ସମସ୍ତ ସମସ୍ୟା ର ଶିଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *