ନିର୍ମାଣର ଦୁଇ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ; ପ୍ରାଥମିକ ଚିକିତ୍ସା ପାଇଁ ଯିବାକୁ ପଡୁଛି ୧୩ କିଲୋମିଟର ଦୂର

ଗୋଲାମୁଣ୍ଡା/ କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ପଞ୍ଚାୟତରେ ମୌଳିକ ସ୍ୱାସ୍ଥ୍ୟ ସେବାର ଅଭାବ ଏବେ ଗୁରୁତର ସମସ୍ୟା ରୂପେ ଦେଖାଦେଇଛି। ମାଓ ଅଧ୍ୟୁଷିତ ଏହି ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୁଇରୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ପଞ୍ଚାୟତବାସୀ ପ୍ରାଥମିକ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପୂର୍ବ  ସରକାର ସମୟରେ ନିର୍ମାଣ ହୋଇଥିବା ଏହି ଆରୋଗ୍ୟ ମନ୍ଦିରରେ ଏପର୍ଯ୍ୟନ୍ତ କୌଣସି ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହୋଇନାହାନ୍ତି ଏବଂ ଚିକିତ୍ସା ସେବା ମଧ୍ୟ ଆରମ୍ଭ ହୋଇନାହିଁ। ଏପର୍ଯ୍ୟନ୍ତ ଏହାର ଔପଚାରିକ ଉଦ୍ଘାଟନ ମଧ୍ୟ ହୋଇନଥିବା ଲୋକେ କହିଛନ୍ତି। ଆରୋଗ୍ୟ ମନ୍ଦିର ଅକାର୍ଯ୍ୟକ୍ଷମ ଥିବାରୁ ସାଧାରଣ ଚିକିତ୍ସା ପାଇଁ ପଞ୍ଚାୟତବାସୀଙ୍କୁ ପ୍ରାୟ ୧୩ କିଲୋମିଟର ଦୂରରେ ଥିବା ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି। ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ଏହା ଅଞ୍ଚଳବାସୀଙ୍କ ପାଇଁ ଅଧିକ ଦୁର୍ଭୋଗ ସୃଷ୍ଟି କରୁଛି। ଏପଟେ ଦୀର୍ଘ ଦିନ ଧରି ବ୍ୟବହାର ନହେବାରୁ ଆରୋଗ୍ୟ ମନ୍ଦିରର ଅବସ୍ଥା ମଧ୍ୟ ଧୀରେ ଧୀରେ ଖରାପ ହେବାରେ ଲାଗିଛି। କେତେକ ସ୍ଥାନରେ ଟାଇଲ୍‌ ଭାଙ୍ଗିଯାଇଥିବା ବେଳେ ରଙ୍ଗ ଫିକା ପଡ଼ିଯାଇଛି। ପାଣି ଯୋଗାଣ ପାଇଁ ଲଗାଯାଇଥିବା କିଛି ପାଇପ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି। ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି।ସ୍ଥାନୀୟ ଲୋକମାନେ ଶୀଘ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ କାର୍ଯ୍ୟକ୍ଷମ କରିବା, ଆବଶ୍ୟକ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଦେବା ଏବଂ ଚିକିତ୍ସା ସେବା ଆରମ୍ଭ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ମାଗିବାରୁ ସେ କହିଛନ୍ତି ଯେ, ପଲ୍ସ ପୋଲିଓ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେ ସ୍ଥଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବେ ଏବଂ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ଜିଲ୍ଲା ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତୁରନ୍ତ ଦୃଷ୍ଟି ଦେଇ ନକଟିକାନୀ ପଞ୍ଚାୟତବାସୀଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *