ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ-୨୦୨୬ ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ରେ ଆଜି ପାଳିତ ହୋଇଛି। ଏହି ଅବସରରେ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଶାବିରୋଧୀ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ। ନିଶାରୁ ସଫଳତାର ସହ ମୁକ୍ତି ପାଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପୂର୍ବରୁ ବିଭିନ୍ନ କଲେଜରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ୀଙ୍କୁ ନିଶାମୁକ୍ତ ଜୀବନ ଗଠନ ପାଇଁ ଆହ୍ୱାନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଜୁଗଲ କିଶୋର ପୋଢ଼, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡିଏସପି ସାଗରିକା ପ୍ରଧାନ, ଅବକାରୀ ବିଭାଗ କଳାହାଣ୍ଡି ସମ୍ପାଦକ ରାମକୃଷ୍ଣ ଆଶ୍ରମ, ମ. ରାମପୁର ବ୍ରହ୍ମାକୁମାରୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ଉମେଶ ଚନ୍ଦ୍ର ଶତପଥୀ ନିଶାସେବନର କୁପରିଣାମ ସମ୍ପର୍କରେ ଅଲୋକପାତ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ। ସାମର୍ଥ୍ୟ ଦୃଷ୍ଟିହୀନ ସଂଘ, ଗୋଲାମୁଣ୍ଡା ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

