କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ କାଶୀବାହାଲ ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦୀର୍ଘ ଦିନ ହେବ ବିପଦପୂର୍ଣ୍ଣ ତଥା ମୁକୁଳା ଅବସ୍ଥାରେ ପଡ଼ିରହିଛି। ଏହି ବ୍ୟସ୍ତବହୁଳ ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ ଓ ଗାଡ଼ିମୋଟର ଚଳାଚଳ କରୁଥିବା ବେଳେ, ଟ୍ରାନ୍ସଫର୍ମରଟି ଏଭଳି ଅସୁରକ୍ଷିତ ଭାବେ ରହିବା ସ୍ଥାନୀୟ ଅଞ୍ଚଳରେ ପ୍ରତି ମୂହୁର୍ତ୍ତରେ ଏକ ବଡ଼ ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରିଛି। ବିଶେଷ କରି ଉକ୍ତ ଟ୍ରାନ୍ସଫର୍ମର ନିକଟରେ ପଞ୍ଚାୟତ କାର୍ଯ୍ୟାଳୟ ରହିଥିବାରୁ ସେଠାରେ ସର୍ବଦା ଜନଗହଳି ଲାଗି ରହିଥାଏ। ବିଦ୍ୟୁତ୍ ବିଭାଗର ଏଭଳି ଚରମ ଦାୟିତ୍ୱହୀନତାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗଟିକୁ ନିକଟରେ ଅନୁଷ୍ଠିତ କୋକସରା ପଞ୍ଚାୟତ ସମିତି ବୈଠକରେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧିମାନେ ଉଠାଇ ବିଦ୍ୟୁତ୍ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ତେଣୁ ଲୋକଙ୍କ ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ ଉକ୍ତ ବିପଦପୂର୍ଣ୍ଣ ସ୍ଥାନରେ ଏକ ସୁରକ୍ଷା ବାଡ଼ ନିର୍ମାଣ କରିବାକୁ ଗ୍ରାମବାସୀ ତଥା ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଛି।
