ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ୍. ରବି କୁମାର) : ମାଲକାନଗିରି ଜିଲ୍ଲାରେ ପୁଣି ଏକ ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ ହୋଇଛି। ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ୍ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୧୭.୨ କେଜି ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଜଣକ ହେଲେ ମହମ୍ମଦ ଆକବର। ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଏକ ଅଟୋକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଅବକାରୀ ବିଭାଗର ମୋବାଇଲ ୟୁନିଟ୍ ଏମ୍.ଭି.-୭୯ ଥାନା ଅନ୍ତର୍ଗତ ଏମ୍.ଭି. ୧୨୬ ଛକ ନିକଟରେ ନିୟମିତ ପେଟ୍ରୋଲିଂ କରୁଥିଲା। ଏହି ସମୟରେ କାଲିମେଳା ପଟୁ ଏକ ଅଟୋ ଅତ୍ୟନ୍ତ ଦ୍ରୁତଗତିରେ ଆସୁଥିବାରୁ ଅବକାରୀ ଟିମ୍ର ସନ୍ଦେହ ହୋଇଥିଲା। ସେମାନେ ଅଟୋକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ଜବତ ହୋଇଥିବା ୧୭.୨ କେଜି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୭୨ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ଆକବର ଏହି ଗଞ୍ଜେଇକୁ ମାଲକାନଗିରିରୁ ତେଲେଙ୍ଗାନା ଅଭିମୁଖେ ଚଲାଣ କରୁଥିବା ନେଇ ପ୍ରକାଶ କରିଥିବା ଜଣାପଡିଛି। ଏହି ସଫଳ ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ବିଘ୍ନରାଜ ଦାମୀଙ୍କ ସମେତ ଜ୍ଞାନ ରଞ୍ଜନ ସାହୁ, ପ୍ରଦୀପ ନାୟକ, ପାଣ୍ଡବ ଟୁଡୁ ଏବଂ ଚନ୍ଦନ ଚେଟି ପ୍ରମୁଖ ସାମିଲ ହୋଇ ଅଭିଯୁକ୍ତକୁ କାବୁ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
