ରାତି ଅଧରେ ସିନ୍ଧି ଚୋରି : ବିଧବା ମହିଳାଙ୍କ ଘରୁ ୭୭ ହଜାର ଟଙ୍କା ନେଇ ଦୃର୍ବୁତ୍ତ ଫେରାର

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଦଣ୍ଡପାଟ ଅଞ୍ଚଳରେ ଗତ କିଛି ମାସ ହେଲା ଚୋରି ଓ ଡକାୟତି ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ଗତ ୧୯ ତାରିଖରେ ଖୁଣ୍ଟିଆ ପିପଲପଡା ଗ୍ରାମର ଜଣେ ଦିନମଜୁରିଆଙ୍କ ଘରୁ ପୁଅ ବାହାଘର ପାଇଁ ରଖାଯାଇଥିବା ୩ ଭରି ସୁନା ଓ ପ୍ରାୟ ଲକ୍ଷେ ଟଙ୍କା ଚୋରି ହେବାର ସପ୍ତାହେ ନପୂରୁଣୁ, ପୁଣି ଏକ ଚୋରି ମାମଲା ସାମ୍ନାକୁ ଆସିଛି। ଏଥର ଦୁର୍ବୃତ୍ତମାନେ ବେହେରାଗୁଡା ଗ୍ରାମର ଜଣେ ଅସହାୟ ବିଧବା ମହିଳାଙ୍କୁ ଟାର୍ଗେଟ୍ କରିଛନ୍ତି।  ମିଳିଥିବା ସୂଚନା ଅନୁଯାୟୀ, ବେହେରାଗୁଡା ଗ୍ରାମର ବିଧବା ମହିଳା କୌଶଲ୍ୟା ନାଏକ ଶୁକ୍ରବାର ବିଳମ୍ବିତ ରାତିରେ ନିଜ ପୁଅ, ଝିଅଙ୍କ ସହିତ ଖାଇପିଇ ଶୋଇଥିଲେ। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଚୋରମାନେ ତାଙ୍କ ଘର କାନ୍ଥରେ ସିନ୍ଧି (ଗାତ) କରି ଭିତରକୁ ପଶିଥିଲେ।

ଘରେ ରଖାଯାଇଥିବା ନଗଦ ୭ ହଜାର ଟଙ୍କା ଏବଂ ଅନ୍ୟ ଏକ ମାଟି ପାତ୍ରରେ ସଞ୍ଚିତ କରି ରଖିଥିବା ୭୦ ହଜାର ଟଙ୍କା, ମୋଟ ୭୭ ହଜାର ଟଙ୍କା ନେଇ ଚୋରମାନେ ଚମ୍ପଟ ମାରିଛନ୍ତି। ଶନିବାର ପାହାନ୍ତିଆ ସମୟରେ କୌଶଲ୍ୟା ନିଦରୁ ଉଠିବା ପରେ ଘର କାନ୍ଥ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ଏବଂ ସର୍ବସ୍ୱ ଲୁଟ୍ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ କୌଶଲ୍ୟା କୋକସରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ କୋକସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଘଟୁଥିବା ଏହିଭଳି ଚୋରି ଘଟଣା ଯୋଗୁଁ ପୁଲିସର ପେଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ତୁରନ୍ତ ଚୋରମାନଙ୍କୁ ଗିରଫ କରିବାକୁ ଦାବି ହେଉଛି। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *