କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜମି ବିବାଦ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଦୀର୍ଘ ଦିନ ହେବ ସ୍କୁଲ ଜାଗାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ କୋମଳମତି ଶିଶୁଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ଓ ସ୍କୁଲ ନିକଟରେ ଥିବା ସରକାରୀ ଜମି ଚିହ୍ନଟ ଦାବିରେ ସୋମବାର ଗ୍ରାମବାସୀଙ୍କ ପକ୍ଷରୁ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ମଧ୍ୟ ସାକ୍ଷାତ କରି ସ୍କୁଲ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରକାଶ ଯେ, ପ୍ରାୟ ୭୦ ବର୍ଷ ତଳେ ଗ୍ରାମର ଜଣେ ବଦାନ୍ୟ ବ୍ୟକ୍ତି ସ୍କୁଲ ନିମନ୍ତେ ଜମି ଦାନ କରିଥିଲେ। ମାତ୍ର ବର୍ତ୍ତମାନ ତାଙ୍କର ଉତ୍ତରାଧିକାରୀମାନେ ଉକ୍ତ ଜାଗା ଛାଡ଼ିବାକୁ ନାରାଜ ହେବା ସହ ବାରମ୍ବାର ସେଠାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସ୍କୁଲ ପାର୍ଶ୍ୱରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଜମି ବିବାଦ ଯୋଗୁଁ ବିଦ୍ୟାଳୟର ଶୈକ୍ଷିକ ପରିବେଶ ନଷ୍ଟ ହେଉଛି। ଅନ୍ୟପଟେ ସ୍କୁଲର ନୂତନ ଗୃହ ନିର୍ମାଣ ନିମନ୍ତେ ସରକାରୀ ଅନୁଦାନ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ଗ୍ରାମଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଜାଗା ଚିହ୍ନଟ କରାଯାଇ ପଟ୍ଟ ପ୍ରଦାନ କରାଯାଇଛି। ହେଲେ ଉକ୍ତ ସ୍ଥାନଟି ସମ୍ପୂର୍ଣ୍ଣ ନିଛାଟିଆ ହୋଇଥିବାରୁ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ସୁରକ୍ଷା ଦୃଷ୍ଟିରୁ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ବାହାରେ ଜାଗା ବଦଳରେ ବର୍ତ୍ତମାନର ସ୍କୁଲ ନିକଟରେ ଥିବା ସରକାରୀ ଜମିକୁ ତୁରନ୍ତ ମାପଚୁପ କରି ଚିହ୍ନଟ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଯୁବରାଜ ପ୍ରାଧାନୀ, ଗ୍ରାମ୍ୟ କମିଟି ସଭାପତି ହରିହର ହଂସ, ମନ୍ମଥ ଦାସ, ବୈବଚନ୍ଦ୍ର ଧଙ୍ଗଡାମାଝୀ, ଗଜାନନ ନାଏକ, ଗଜିନ୍ଦ୍ର ନାଗ, ପ୍ରଧାନୀ ବାଗ, ଧର୍ମାନନ୍ଦ ନାଏକ, ବୈଦ୍ୟନାଥ ପୁଝାରୀ ଏବଂ ଧର୍ମାନନ୍ଦ ହଂସଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି।
