ଦୁଇ ମାସ ହେଲା ସୌର ଚାଳିତ ଜଳ ପ୍ରକଳ୍ପ ଅଚଳ : ପାଣି ପାଇଁ ହଇରାଣ ହେଉଛନ୍ତି ଗ୍ରାମବାସି

ଝରୀଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ବାହାର କରମରି ଗ୍ରାମରେ ସ୍ଥାପିତ ସୋଲାର ପାନୀୟ ଜଳ ପମ୍ପ ପ୍ରାୟ ଦୁଇ ମାସ ଧରି ଅଚଳ ହୋଇ ପଡ଼ିଥିବାରୁ ଗ୍ରାମବାସୀ ତୀବ୍ର ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ ମରାମତି ପାଇଁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସୋଲାର ପମ୍ପ ବନ୍ଦ ରହିବା ଯୋଗୁଁ ମହିଳା, ଶିଶୁ ଓ ବୃଦ୍ଧମାନେ ପ୍ରତିଦିନ ଦୂରଦୂରାନ୍ତରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ଖରାଦିନରେ ଏହି ସମସ୍ୟା ଆହୁରି ଗୁରୁତର ରୂପ ନେଇଥିବାରୁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଗ୍ରାମର ୱାର୍ଡ ସଦସ୍ୟ ପ୍ରସାଦ ଭୁଞ୍ଜିଆଙ୍କ, ପ୍ରତାପ ଗୌଡ଼, ପତି ଭୁଞ୍ଜିଆ, ନୀଳାମ୍ବର ଗୌଡ଼, ତ୍ରିଲୋଚନ ଭୁଞ୍ଜିଆ, ପରେଶ୍ୱର ଭୁଞ୍ଜିଆ, ରୁଦ୍ର ପ୍ରସାଦ ଦାସ, ଶ୍ୟାମଲ ଭୁଞ୍ଜିଆ, ସଦାଶିବ ଶବର, ପ୍ରଶାନ୍ତ ଗୌଡ଼, ଜଗଦୀଶ ନାୟକ ଓ ନିର୍ମଳ ଭୁଞ୍ଜିଆ, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ତୁରନ୍ତ ସୋଲାର ପମ୍ପର ମରାମତି କରି ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯେ, ଶୀଘ୍ର ସମାଧାନ ନ ହେଲେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନର ପଥ ଅବଲମ୍ବନ କରିବେ।

Leave a Reply

Your email address will not be published. Required fields are marked *