ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ , ପୁଲିସର ତଦନ୍ତ ଜାରି 

ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ପାଇକ ପଡ଼ାର ବି. ରାଜକୁମାର ବୈଠାରୁ ( ରାଜା ) ବୟସ (୩୫) ଗତ କିଛି ମାସ ହେଲା ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ତରରେ ବିଚଳିତ ଥିଲେ। ସ୍ତ୍ରୀ ଓ ପୁଅ କୁ ନେଇ ତାଙ୍କର ସଂସାର ଚାଲିଥିଲା। ଗତ କିଛିଦିନ ହେଲା କୌଣସି କାରଣରୁ ତାଙ୍କର ସ୍ତ୍ରୀ ନିଜ ପୁଅକୁ ସାଙ୍ଗରେ ନେଇ ବାପ ଘରକୁ ଯାଇଥିଲେ। ଏଣୁ ସେ ଏତେ ବଡ ଘର ଭିତରେ ଏକୁଟିଆ ରହୁଥିଲେ। ଗତ ଚାରିଦିନ ହେଲା ତାଙ୍କର ମାନସିକ ସ୍ଥିତି ଭଲ ନଥିଲା ବୋଲି ଶୁଣିବାକୁ ମିଳୁଛି, ହେଲେ ସୋମବାର ଦିନ ସନ୍ଧ୍ୟା ଠାରୁ ସେ ବାହାରକୁ ବାହାରି ନଥିଲେ। ମଙ୍ଗଳବାର ଦିନତମାମ ସାଙ୍ଗ ସାଥି ଓ ପରିଚିତ ମାନେ ଫୋନ କରିଥିଲେ ବି ଉଠାଇ ନଥିଲେ। ଆଜି  ସକାଳ ସମୟରେ ସେ ବାହାରି ନଥିବା ନେଇ ଖବର ପ୍ରଚାରିତ ହେଲାପରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ। ପରେ ମ.ରାମପୁର ପୋଲିସ ଓ ରାଜାଙ୍କ ନିଜ କକା ଅମ୍ବିକା ବୈଠାରୁ ଆସି ପହଂଚିଲା ପରେ କବାଟ ଭିତର ପଟୁ ବନ୍ଦ ଥିବା ଜାଣି ଗ୍ରାମବାସୀଙ୍କ ସମ୍ମୁଖରେ କବାଟ ଭଙ୍ଗା ଯାଇଥିଲା। ତା ପରେ ଯାହା ଦେଖିବାକୁ ମିଳିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଘର ଭିତରେ ରାଜା ଏକ ଦଉଡି ଜରିଆରେ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଉକ୍ତ ଶବକୁ ଉଦ୍ଧାର କରି କେସିଙ୍ଗା ଡାକ୍ତର ଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ଓ ପରିଜନ ପହଂଚି ପାରି ନଥିବାରୁ ଗୁରୁବାର ଦିନ ଶବ ବ୍ୟବଚ୍ଛେଦ ପରେ  ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ମ.ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *