କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର, ହେଲେ ଏହି ଉକ୍ତି ଟି ବର୍ତ୍ତମାନର ସମୟରେ ବଦଳିଛି ଯାଇଛି। ଚାଷ କାମ ଯାହାର କେତେ ଦୁଃଖ ତାହାର, ତଥାପି ଯୋଗାଉଛି ଦୁନିଆଁ କୁ ଆହାର। ଜୁନ ମାସ ସରି ଜୁଲାଇ ମାସ ଆସିଲାଣି, ମଣ୍ଡି ରୁ ଧାନ ଉଠୁନି ମିଲର୍ସଙ୍କ ଅସହଯୋଗ ହେଉ କିମ୍ବା ସରକାର ଙ୍କ ଆନ୍ତରିକତା ର ଅଭାବ ହେଉ, ଏସବୁ ଭିତରେ ପେଶି ହେଉଛି ନିରିହ ଚାଷୀ। ସେମିତି ଗତ ତିନି ଚାରି ଦିନ ତଳେ ଜଣେ ମିଲର୍ସ ମଣ୍ଡି ରେ ଅସହଯୋଗ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କୁ ପାଳନ ନ କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ତହସିଲଦାର ଓ ବ୍ଲକ ଯୋଗାଣ ଅଧିକାରୀ ଅମାଠ ଠାରେ ଥିବା ଏକ ରାଇସ ମିଲ କୁ ସିଲ୍ କରିଛନ୍ତି। ଏହି ପଦକ୍ଷେପ ମିଲର୍ସ ମାନଙ୍କୁ ଡ଼ରାଇବା ପାଇଁ ନା ଚାଷୀ ମାନଙ୍କୁ ଖୁସ କରିବା ପାଇଁ ସରକାରଙ୍କ ଷଡ଼ଯନ୍ତ୍ର ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ଯାହାବି ହେଉ ଦୁନିଆକୁ ଆହାର ଯୋଗାଉଥିବା ଚାଷୀ କିନ୍ତୁ ବିଜେପି ସରକାର ଅମଳରେ ଦୁଃଖରେ ରହିଛି ଯାହା ମଣ୍ଡି ପରିଦର୍ଶନ କଲେ ଜଳ ଜଳ ଦେଖାଯାଉଛି। ଅନ୍ୟପଟେ ଜୁନ ମାସ ସରି ଜୁଲାଇ ମାସ ଆରମ୍ଭ ହେଲାଣି ଆଉ କେଇଟା ଦିନ ପରେ ରଥଯାତ୍ରା। ହେଲେ ବର୍ଷା ଅଭାବ ଓ ମୌସୁମୀ ର ଲୁଚକାଳି ଖେଳ ଯୋଗୁଁ ଜିଲ୍ଲା ର ଅନେକ ଅଞ୍ଚଳରେ ଚାଷ ଆରମ୍ଭ ହୋଇ ନାହିଁ, ଜମି ଗୁଡ଼ାକ ଫାଟି ଆଁ କରିଛି, ଚିନ୍ତାରେ ଚାଷୀ ଭାଇ, ମୁଣ୍ଡରେ ହାତମାରି ନିଜ ଭାଗ୍ୟ ଓ ମଣ୍ଡି ସମସ୍ୟା ପାଇଁ ରାଜ୍ୟସରକାର କୁ ଦୋଷ ଦେଇ ବର୍ଷା ଆଶାରେ ଆକାଶକୁ ଚାତକ ଭଳି ଚାହିଁ ରହିଛି ଅନ୍ନଦାତା। ସେହିପରି କେସିଙ୍ଗା ବ୍ଲକ ରେ ସରକାରୀ କାଗଜ ପତ୍ର ହିସାବରେ ବ୍ଲକରେ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ଧାନ ଓ ୧୪ ହଜାର ହେକ୍ଟର ଜମିରେ କପା ଚାଷ ହୋଇଥାଏ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେସିଙ୍ଗା କୃଷି ବିଭାଗର ସରକାରୀ କାଗଜ ପତ୍ର ହିସାବରେ ୧୫ ରୁ ୨୦ ପ୍ରତିଶତ ଚାଷ ସରିଯାଇଥିବା କଥା ଦାୟିତ୍ୱରେ ଥିବା କୃଷି ଅଧିକାରୀ ନିରୁପମା ଗୌଡ଼ କହୁଥିଲେ ମଧ୍ୟ ବାସ୍ତବରେ ବ୍ଲକରେ କେବଳ ୫ ରୁ ୭ ପ୍ରତିଶତ ଚାଷ ସରିଥିବା ଜଣାପଡିଛି। କାରଣ ଆଜି ପର୍ଯ୍ୟନ୍ତ ଭଲ ବର୍ଷା ହୋଇନାହିଁ କି ଚାଷୀ ମଣ୍ଡି ମଧ୍ୟ ଛାଡିନାହିଁ । ସେପଟେ ଆଉ ଦୁଇ ମାସ ପରେ ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ନିମନ୍ତେ ନୂଆଧାନ, ନୂଆଁ ଚୂଡା ଚଳିତ ବର୍ଷ ସମୟରେ ମିଲିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ। ଅଞ୍ଚଳରେ ମରୁଡ଼ିର ପ୍ରତିଧ୍ଵନି ଜୁଲାଇ ମାସରୁ ଜଣାପଡୁ ଥିବା ବେଳେ ମରୁଡ଼ିର ପ୍ରତିକାର ପାଇଁ ରାଜ୍ୟ ସରକାର ଆଗକୁ କଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା। ଅନ୍ୟପଟେ ଚଳିତ ବର୍ଷ ସରକାରଙ୍କ ଠାରୁ କଳାହାଣ୍ଡି ଜିଲ୍ଲା ରୁ ରବି ଋତୁରେ ୪୦ ଲକ୍ଷ ୬୧ ହଜାର ୫ ଶହ କୁଣ୍ଟାଲ ଧାନ କିଣିବାର ଲକ୍ଷଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୭ ଲକ୍ଷ କ୍ଵିଣ୍ଟାଲ ଧାନ କିଣାଯାଇଛି ଓ ଏବେବି ପ୍ରାୟ ୪ ଲକ୍ଷ କ୍ଵିଣ୍ଟାଲ ଧାନ ମଣ୍ଡି ମାନଙ୍କ ର ପଡ଼ିରହିଛି। ସେପଟେ ଦୁଇଦିନ ହେଲା ପାଗ କୁହୁଲିଆ ହୋଇ ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ଆରମ୍ଭ ହୋଇ ଯାଇଛି, ଆହୁରି ୫ ରୁ ୬ ଦିନ ପାଗ ସେମିତି ରହିବା ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣି ପାଗ ବିଭାଗର ପୂର୍ବାନୁମାନ ମଣ୍ଡି ରେ ଥିବା ଚାଷୀ କୁ ବ୍ୟାକୁଳ କରୁଥିବା ବେଳେ ବର୍ଷା ପାଣି ରୁ ଧାନ କୁ ସୁରକ୍ଷିତ ରଖିବା ପାଇଁ ଚାଷୀ ଦିନ ରାତି ଏକ କରୁଛି।
