କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ଥିବା ଡୋକରୀଦର ଝରଣା ନିକଟରୁ ଗୁରୁବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିବା ବେଳେ ଶୁକ୍ରବାର ପୋଲିସ ଓ ଅଗ୍ନିଶମ ବାହିନୀ ଶବ ଉଦ୍ଧାର କରିଛନ୍ତି। ମୃତ ଯୁବକ ଜଣକ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦେଭୋଗ ଥାନା କର୍ଲାଗୁଡା ଗ୍ରାମର ଅମ୍ରିତଲାଲା ଦୁରିଆଙ୍କ ପୁଅ ଲୋକେଶ ଦୁରିଆ (୨୩) ବୋଲି ପରିଚୟ ମିଳିଛି। ସେଲ୍ଫି ନେବା ସମୟରେ ଗୋଡ଼ ଖସିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିବା ସୂଚନା ମିଳିଛି।
ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତକାଲି (ଗୁରୁବାର) ସକାଳୁ ଲୋକେଶ ଘରୁ ବାହାରିଥିଲେ ମଧ୍ୟ ସେ କେଉଁଆଡ଼େ ଯାଉଛନ୍ତି ସେ ନେଇ କାହାକୁ କିଛି କହି ନଥିଲେ। ତେବେ ସଞ୍ଜ ପର୍ଯ୍ୟନ୍ତ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପର୍ଯ୍ୟଟନ ସ୍ଥଳୀରେ ଏକ ବାଇକ୍ ଅପରିଚିତ ଭାବେ ଠିଆ ହୋଇ ରହିଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଲୋକେ ଖୋଜାଖୋଜି କରି ଝରଣା ଆଡ଼କୁ ଯିବା ସମୟରେ ସେଠାରେ ଶବ ପଡ଼ିଥିବା ଦେଖି ତୁରନ୍ତ ଆମପାଣି ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଆଧାରରେ ମୃତକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା। ଶୁକ୍ରବାର ସକାଳେ ଆମପାଣି ଥାନା ପୋଲିସ ଓ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ଝରଣା ନିକଟରୁ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ସେଲଫି ନେବା ବେଳେ ଗୋଡ଼ ଖସିଯିବାରୁ ଏହି ଅଘଟଣ ଘଟିଥିବା ପୋଲିସ ସନ୍ଦେହ କରିଛି ଏବଂ ପରିବାର ଲୋକେ ମଧ୍ୟ ସମାନ ଆଶଙ୍କା ପ୍ରକଟ କରିଛନ୍ତି। ଏ ନେଇ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ପ୍ରଶାନ୍ତ କୋଲାହାର ସୂଚନା ଦେଇଛନ୍ତି।
