୭୭ତମ ବନ ମହୋତ୍ସବ ଅବସରରେ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ୭୭ତମ ବନ ମହୋତ୍ସବ ଅବସରରେ କଳାହାଣ୍ଡି ବନ ବିଭାଗ ପକ୍ଷରୁ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନ ର ସହଯୋଗରେ ଭବାନୀପାଟଣା ସ୍ଥିତ ନରେଙ୍ଗଖୋଲା ଠାରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ୫୧ ଜଣ ଉତ୍ସାହୀ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବକ, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ ଆଦିତ୍ୟ କୁମାର ପଟ୍ଟନାୟକ, ସରସ୍ୱତୀ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ଅଧ୍ୟକ୍ଷ ଡଃ ସୁଦୀପ୍ତ କୁମାର ଜାନା,ବିକାଶ ନର୍ସିଂ କଲେଜ ଅଧ୍ୟକ୍ଷ ଡଃ ଏସ୍.ଗୋପୀନାଥ, ୟ.ଆର.ସି କାଉନସେଲର କୁମାର ମନ୍ଥନ ସାହୁ, ଏନ୍.ଏସ.ଏସ ପ୍ରୋଗ୍ରାମ ଅଫିସର ରାମ ଚନ୍ଦ୍ର ସାହୁ ତଥା ଅଧ୍ୟାପକ ଓ କର୍ମଚାରୀମାନଙ୍କ ସହ ଯୋଗଦେଇ ପରିବେଶ ସଂରକ୍ଷଣ ଓ ନିରନ୍ତର ବିକାଶ ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାର ପରିଚୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଷୀ, କଳାହାଣ୍ଡି ବନମଣ୍ଡଳ ଅଧିକାରୀ ପ୍ରଭାକର ବର୍ମା, ସହକାରୀ ବନ ସଂରକ୍ଷକ ଲିଲି ଅମର୍ତ୍ୟା, ରେଞ୍ଜ ଅଫିସର ରେଖାରାଣୀ ମହାପାତ୍ର, ଫରେଷ୍ଟର ବିଶିକେଶନ କରୁଆଁଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଫରେଷ୍ଟ ଗାର୍ଡମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗରିମାମଣ୍ଡିତ କରିଥିଲେ। ଉପସ୍ଥିତ ଅତିଥିମାନେ ବନ ମହୋତ୍ସବର ମହତ୍ତ୍ୱ, ବୃକ୍ଷରୋପଣର ଆବଶ୍ୟକତା, ଜୈବ ବିବିଧତାର ସଂରକ୍ଷଣ, ପରିବେଶର ସନ୍ତୁଳନ ରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ସମସ୍ତଙ୍କ ସାମୂହିକ ଭୂମିକା ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତି ସୁରକ୍ଷା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।ଏହି କାର୍ଯ୍ୟକ୍ରମ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ପରିଚାଳନା ପରିଷଦଙ୍କ ଦୂରଦର୍ଶୀ ନେତୃତ୍ୱ ଓ ପ୍ରେରଣାରେ ସଫଳତାର ସହ ଆୟୋଜିତ ହୋଇଥିଲା। ପୂର୍ବରୁ ୪ ଜୁଲାଇ ୨୦୨୬ ତାରିଖରେ ବନ ମହୋତ୍ସବ ସପ୍ତାହ ଅବସରରେ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ନିଜସ୍ୱ ପରିସର ମଧ୍ୟରେ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଚାଳନା ପରିଷଦର ସଦସ୍ୟବୃନ୍ଦ, ତିନୋଟି ଅନୁଷ୍ଠାନର ଅଧ୍ୟକ୍ଷମାନେ, ୟ.ଆର.ସି କାଉନସେଲର,ଏନ୍.ଏସ.ଏସ ପ୍ରୋଗ୍ରାମ ଅଫିସର, ଅଧ୍ୟାପକ, ଅଣ-ଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଯୋଗଦେଇ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରିଥିଲେ। ଏହି ପଦକ୍ଷେପ ସବୁଜ, ସ୍ୱଚ୍ଛ ଓ ପରିବେଶ ଅନୁକୂଳ କ୍ୟାମ୍ପସ ଗଠନ ସହିତ ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ସଚେତନତା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଥିଲା। ଏହି କାର୍ଯ୍ୟକ୍ରମ ଉଭୟ କଳାହାଣ୍ଡି ବନ ବିଭାଗ ଓ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ପରିବେଶ ସଂରକ୍ଷଣ, ସାମାଜିକ ଦାୟିତ୍ୱ ଏବଂ ଜନସହଭାଗିତା ପ୍ରତି ଥିବା ଦୃଢ଼ ସଂକଳ୍ପର ଏକ ଉଜ୍ଜ୍ୱଳ ନିଦର୍ଶନ। ବୃକ୍ଷରୋପଣ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ପରିଚାଳନା ପରିଷଦ ସଦସ୍ୟମାନେ ମିଳିତ ଭାବେ ଏକ ସବୁଜ, ସୁସ୍ଥ, ସ୍ୱଚ୍ଛ ଓ ସ୍ଥାୟୀ ଭାରତ ଗଠନ ପାଇଁ ନିଜମାନଙ୍କର ଦୃଢ଼ ସଂକଳ୍ପକୁ ପୁନର୍ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *