ମିଳୁନି ଚୋରି ପିକଅପ ର ସୁରାକ : ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସର ଛାନଭିନ୍ ଜାରି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଏକ ଚାରି ଚକିଆ ଗାଡ଼ି ଚୋରି ମାମଲା ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁସାରେ କେସିଙ୍ଗା ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ଅଶ୍ୱିନୀ ଗୌଡ଼ଙ୍କ ଏକ ବୋଲେରୋ ପିକଅପ୍ ଗାଡ଼ି ଗତ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗାଡ଼ିର ନମ୍ବର ଓଡ଼ି୦୬ସି୬୧୧୬ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ସୋମବାର ରାତି ପ୍ରାୟ ୧୨ଟା ୫୦ ମିନିଟ୍ ସମୟରେ ଏହି ଚୋରି ହୋଇଛି। ନିକଟରେ ଥିବା ଏକ ସିସିଟିଭି କ୍ୟାମେରାରେ ଚୋରିର କିଛି ଦୃଶ୍ୟ କଏଦ ହୋଇ ଫୁଟେଜ୍‌ରୁ ଜଣାପଡ଼ୁଛି ଯେ, ପ୍ରଥମେ ଏକ ସନ୍ଦିଗ୍ଧ ବୋଲେରୋ ଗାଡ଼ି ଆସି ସେଥିରୁ ଦୁଇ ଜଣ ଯୁବକ ଓହ୍ଲାଇ ଅତି ଚତୁରତାର ସହ ପିକଅପ୍ ଗାଡ଼ିର ଲକ୍ ଭାଙ୍ଗିଥିଲେ ଏବଂ ଗାଡ଼ିଟିକୁ କେସିଙ୍ଗାରୁ ଭବାନୀପାଟଣା ଆଡ଼କୁ ନେଇ ଛୁ ହୋଇଥିବା ଦେଖାଯାଉଛି । ଏହି ଘଟଣାକୁ ନେଇ ଗାଡ଼ି ମାଲିକ କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚୋରମାନଙ୍କ ସୁରାକ ପାଇବା ପାଇଁ ପୁଲିସ କେସିଙ୍ଗାରୁ ଭବାନୀପାଟଣା ରାସ୍ତାରେ ଥିବା ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପ ଏବଂ ଛକ ଜାଗାରେ ଲାଗିଥିବା ସିସିଟିଭି ଫୁଟେଜ୍‌ଗୁଡ଼ିକୁ ବ୍ୟାପକ ଭାବେ ଖଙ୍ଗାଲୁଛି। ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ଚୋରି ଗାଡ଼ି କିମ୍ବା ଚୋରମାନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ଉକ୍ତ ବିଷୟ ଉପରେ କେସିଙ୍ଗା ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳଙ୍କୁ ପଚାରିବାରୁ ସିସିଟିଭି ଦେଖି ତଦନ୍ତ ଚାଲିଛି ଟିମ କାମ କରୁଛି ବହୁତ ଶୀଘ୍ର ଗାଡ଼ି ର ସନ୍ଧାନ ମିଳିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ।

Leave a Reply

Your email address will not be published. Required fields are marked *