୯ ଦଫା ଦାବି ପୂରଣ ନେଇ ଆଶା କର୍ମୀଙ୍କ ବିଶାଳ ଶୋଭାଯାତ୍ରା

ମାଲକାନଗିରି/କ୍ରାନ୍ତିକ୍ଷେତ୍ର : ନଅ ଦଫା ଦାବି ପୂରଣ ପାଇଁ ମାଲକାନଗିରି ଜିଲ୍ଲାରେ ଶତାଧିକ ଆଶା କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିଶାଳ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଶା କର୍ମୀମାନଙ୍କ ମୁଖ୍ୟ ଦାବି ମଧ୍ୟରେ ଚାକିରିକୁ ସ୍ଥାୟୀ କରିବା, ମାସିକ ଭତ୍ତା ବୃଦ୍ଧି, ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଏବଂ ପେନ୍‌ସନ ଓ ବୀମା ସୁବିଧା ଲାଗୁ କରିବା ରହିଛି। ପ୍ରଦର୍ଶନକାରୀ ମାନେ କହିଛନ୍ତି ଯେ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଆଶା କର୍ମୀଙ୍କୁ କର୍ମଚାରୀର ମାନ୍ୟତା ଦେବା ସହ ସର୍ବନିମ୍ନ ୧୮ ହଜାର ଟଙ୍କା ମାସିକ ବେତନ ପ୍ରଦାନ କରାଯାଉ। ଏହାସହ ଇଏସଆଇ ଓ ଇପିଏଫ ଅନ୍ତର୍ଗତ ପଞ୍ଜୀକରଣ, ପ୍ରତିମାସ ୧୦ ତାରିଖ ମଧ୍ୟରେ ଦେୟ ପ୍ରଦାନ, ଦୁର୍ବ୍ୟବହାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଆଶା କେନ୍ଦ୍ର ଓ ଆଶା ଗୃହ ନିର୍ମାଣ, ପଦୋନ୍ନତି ନୀତି ପ୍ରଣୟନ, ଗ୍ରୁପ୍‌ ଇନ୍‌ସୁରାନ୍ସ, ଅବସରକାଳୀନ ସହାୟତା ଏବଂ ଉଚ୍ଚ ଗୁଣବତ୍ତାସମ୍ପନ୍ନ ମୋବାଇଲ ପ୍ରଦାନ ଭଳି ଦାବି ଉଠାଇଥିଲେ। ଦୀର୍ଘଦିନ ଧରି ଦାବି ସତ୍ବେ କୌଣସି ସୁଫଳ ମିଳିନଥିବାରୁ ଯଥା ଶୀଘ୍ର ଏହାର ସମାଧାନ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆଶା କର୍ମୀମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *