ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ପ୍ରକଳ୍ପ କୁ ନେଇ ଚର୍ଚ୍ଚା ; ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ପ୍ରସ୍ତାବିତ ମେଗା ‘ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ’କୁ ନେଇ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ପ୍ରକଳ୍ପର ଶିଳାନ୍ୟାସ ହେବାର ମାତ୍ର ୧୯ ଦିନ ପରେ ସେଠାରେ ସ୍ଥାପନ କରାଯାଇଥିବା ବୋର୍ଡରୁ ସୂଚନା ଫଳକଟି ରହସ୍ୟଜନକ ଭାବେ ଗାୟବ ହୋଇଯାଇଛି। ଏହି ସରକାରୀ ଫଳକକୁ କିଏ ଏବଂ କାହିଁକି ହଟାଇଲା, ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଚର୍ଚ୍ଚା ଜୋର୍ ଧରିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭର୍ଚୁଆଲ୍ ମୋଡ୍‌ରେ ଏହି ବୃହତ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା।

ପ୍ରାୟ ୪,୦୬୦ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ମାଧ୍ୟମରେ ଇନ୍ଦ୍ରାବତୀ ଜଳଭଣ୍ଡାରର ପାଣିକୁ ପଥର ସୁଡ଼ଙ୍ଗ ଦେଇ ଆଣି ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବାର ଲକ୍ଷ୍ୟ ରହିଛି। ପରେ ସେହି ପାଣିକୁ ପୁଣି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଜଳଭଣ୍ଡାରକୁ ଫେରାଇ ନିଆଯିବାର ଅଭିନବ ବ୍ୟବସ୍ଥା ହୋଇଛି। ଏଭଳି ଏକ ବୃହତ୍ ଜନହିତକର ପ୍ରକଳ୍ପର ଶିଳାନ୍ୟାସ ସମୟରେ ଓଏଚପିସି କର୍ତ୍ତୃପକ୍ଷ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ, ଜନସାଧାରଣ କିମ୍ବା ଗଣମାଧ୍ୟମକୁ କୌଣସି ଆନୁଷ୍ଠାନିକ ସୂଚନା ଦେଇ ନଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ହିଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଶିଳାନ୍ୟାସ ସ୍ଥଳରୁ ସୂଚନା ଫଳକ ଗାୟବ ହେବା ଘଟଣା ସ୍ଥାନୀୟ ଲୋକଙ୍କ ଆଶ୍ଚର୍ଯ୍ୟକୁ ଦ୍ଵିଗୁଣିତ କରିବା ସହ ବିଭାଗୀୟ ସ୍ୱଚ୍ଛତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ କିମ୍ବା ପ୍ରକଳ୍ପ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *