ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଭବାନୀପାଟଣାସ୍ଥିତ ବିକାଶ ହାୟର ଏଡୁକେସନାଲ୍ ଇନ୍ଷ୍ଟିଚ୍ୟୁସନ୍ସ ପରିସରରେ ନବନିଯୁକ୍ତ ସ୍ନାତକ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ ଛଅ ଦିନିଆ ‘ଇଣ୍ଡକ୍ସନ୍ ପ୍ରୋଗ୍ରାମ୍-୨୦୨୬’ ସଫଳତାର ସହିତ ସମାପ୍ତ ହୋଇଛି। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଚେୟାରମ୍ୟାନ୍ ଡି. ନାଗେଶ୍ୱର ରାଓ ଛାତ୍ରଛାତ୍ରୀଙ୍କୁ ନୈତିକତା, ଶୃଙ୍ଖଳା ଓ ଜ୍ଞାନ ଆହରଣ ପାଇଁ ପ୍ରେରଣା ଦେଇଥିଲେ। ବିକାଶ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ଆଦିତ୍ୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ଡି. ଶ୍ୟାମ “U Can” ସେସନ୍ ମାଧ୍ୟମରେ ନିଜ ଅନ୍ତର୍ନିହିତ ପ୍ରତିଭା ଚିହ୍ନିବାକୁ ଉତ୍ସାହିତ କରିଥିଲେ। ଅନ୍ୟ ପ୍ରମୁଖ ନିର୍ଦ୍ଦେଶକ, ମୁଖ୍ୟ ଶିକ୍ଷା ଅଧିକାରୀ ଓ ଶିକ୍ଷାବିତ୍ମାନେ ଅଂଶଗ୍ରହଣ କରି ପ୍ରତିଷ୍ଠାନର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଆର୍ଥିକ ସାକ୍ଷରତା, ସରକାରୀ ଯୋଜନା, ଶିଳ୍ପ-ଶିକ୍ଷା ସହଯୋଗ, କୃତ୍ରିମ ବୁଦ୍ଧିମତ୍ତା, ମାନସିକ ସୁସ୍ଥତା, ଚାପ ପରିଚାଳନା ଓ ନେତୃତ୍ୱ ବିକାଶ ଭଳି ବିବିଧ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଶିଳ୍ପ ସଂସ୍ଥା ଓ ଗଣମାଧ୍ୟମର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସେମାନଙ୍କ ଶିକ୍ଷାଗତ ଓ କ୍ୟାରିୟର ଯାତ୍ରା ପାଇଁ ଏକ ଦୃଢ଼ ଭିତ୍ତି ସ୍ଥାପନ କରିଛି।

