ନିଶାନ୍ତ ବାର ବିବାଦ : ପ୍ରଶାସନିକ ତତ୍ପରତା ଓ ସାଂସଦଙ୍କ ସହଯୋଗ ପରେ କେସିଙ୍ଗାରେ ଶାନ୍ତି ଫେରିବାର ଆଶା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ବିଗତ ମାସେ ହେଲା ବିବାଦୀୟ ‘ନିଶାନ୍ତ ବାର’କୁ ନେଇ ଅଶାନ୍ତ ହୋଇପଡ଼ିଥିବା କେସିଙ୍ଗା ସହରରେ ଏବେ ସମସ୍ୟାର ସମାଧାନ ହେବାର ଆଶା ସଞ୍ଚାର ହୋଇଛି। ସ୍ଥାନୀୟ ସାଂସଦଙ୍କ ସହଯୋଗ ଓ ନିର୍ଦ୍ଦେଶ ପରେ ପ୍ରଶାସନ ଆକ୍ସନ୍ ମୋଡ଼କୁ ଆସିଛି। ନୂତନ ବିୟର ବାର୍ ପାଇଁ ପ୍ରସ୍ତାବିତ ସ୍ଥାନର ସ୍ଥିତି ଅନୁଧ୍ୟାନ କରିବାକୁ ମଙ୍ଗଳବାର ଦିନ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା କେସିଙ୍ଗା ପରିଦର୍ଶନରେ ଆସିଥିଲେ। ସେ ସ୍ଥାନୀୟ ୱାର୍ଡବାସୀ, ଓମ୍‌ନଗର ପଡ଼ାର ମହିଳା ମଣ୍ଡଳୀ, ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ରଥଯାତ୍ରା ଦିନ ସାଂସଦଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଅଧିକାରୀମାନେ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।  ଏହି କ୍ଷେତ୍ର ପରିଦର୍ଶନ ସମୟରେ ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ୱାଳ ଓ ଅବକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନର ଏହି ତତ୍ପରତା ଯୋଗୁଁ ବାର୍ ସ୍ଥାନାନ୍ତର ମାମଲାରେ ବହୁ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *