ଝରୀଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅଞ୍ଚଳରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ଦୁଇଟି ପୃଥକ ଘଟଣାରେ ଦୁଇ ଯୁବକଙ୍କ ଜୀବନ ଦୀପ ଲିଭିଯିବା ସହ ଦୁଇ ପରିବାର ଉପରେ ଅଚାନକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଝରୀଗାଁ ବ୍ଲକ ବଟଟେମରା ପଞ୍ଚାୟତ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମର ଶାକରା ଶାନ୍ତା (୩୮), ପିତା କତୁରୁ ସାନ୍ତା, ରାତିରେ ଖାଇପିଇ ଘରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାର ଶିକାର ହୋଇଥିଲେ। ଘଟଣା ଜଣାପଡ଼ିବା ପରେ ପରିବାରବର୍ଗ ତୁରନ୍ତ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଚିକିତ୍ସା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ, ଭାଲୁକୁନାଡୀ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳୀଗୁଡ଼ା ଗ୍ରାମର ଚୈତନ୍ୟ ଗୌଡ଼ (୨୮), ପିତ ଭୁଜବଳ ଗୌଡ଼, ନିଜ ଚାଷ ଜମିରେ କାମ କରୁଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଗୁରୁତର ହୋଇଥିଲେ। ପରିବାର ଲୋକେ ବିଳମ୍ବ ନକରି ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ପରୀକ୍ଷା କରି ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଝରୀଗାଁ ଥାନା ପୁଲିସ ଏସ୍ଆଇ ମମତା ସେଠୀଙ୍କ ନେତୃତ୍ୱରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଆବଶ୍ୟକ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ଶେଷ ପରେ ମୃତକଙ୍କ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ଦୁଇ ଯୁବକଙ୍କ ଏଭଳି ଅକାଳ ମୃତ୍ୟୁ ଦୁଇ ପରିବାରକୁ ଗଭୀର ଦୁଃଖ ଓ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ପରିବାରର ରୋଜଗାରର ମୁଖ୍ୟ ଆଧାର ହରାଇଥିବାରୁ ଉଭୟ ପରିବାର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ତେଣୁ ମାନବିକତାର ଦୃଷ୍ଟିକୋଣରୁ ସରକାରୀ ନିୟମ ଅନୁଯାୟୀ ଉଭୟ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ସରକାରୀ ସହଯୋଗ ଯୋଗାଇଦେବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।
