-
ଜୈବିକ ପଦ୍ଧତିରେ ପ୍ରଥମ ଥର ପାଇଁ ଫଳିଲା ଡ୍ରାଗନ ଫଳ
-
ଆନ୍ଧ୍ରକୁ ରପ୍ତାନି ସହ ଦୁବାଇ ବଜାରକୁ ନଜର
-
ବେଆଇନ ଗଞ୍ଜେଇ ଚାଷ ଉପରେ ଲଗାଉଛି ରୋକ
ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ୍. ରବି କୁମାର) : ଏକଦା ବେଆଇନ ଗଞ୍ଜେଇ ଚାଷ ପାଇଁ ଚର୍ଚ୍ଚିତ ଥିବା ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଏବେ ଲାଭଦାୟକ ଡ୍ରାଗନ ଫଳ ଚାଷ ମାଧ୍ୟମରେ ନୂଆ ପରିଚୟ ସୃଷ୍ଟି କରୁଛି। ଜୈବିକ ପଦ୍ଧତିରେ ଚାଷ ହୋଇଥିବା ଡ୍ରାଗନ ଫଳ ପ୍ରଥମ ଥର ପାଇଁ ଫଳିବା ଆରମ୍ଭ କରିଥିବାବେଳେ ଏହା ଚାଷୀଙ୍କ ପାଇଁ ନୂଆ ରୋଜଗାରର ଦ୍ୱାର ଖୋଲିଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶକୁ ଏହି ଫଳ ରପ୍ତାନି ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଭବିଷ୍ୟତରେ ଦୁବାଇ ବଜାରକୁ ପଠାଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି। ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଥିବା ସ୍ୱାଭିମାନ ଅଞ୍ଚଳର ଲାଉଗୁଡ଼ା, ଜନତାପାଇ ଓ ବାଙ୍ଗୁରପଡ଼ା ଗ୍ରାମରେ ୧୫ ହେକ୍ଟର ଜମିରେ ୨୫ ଜଣ ଚାଷୀ ଡ୍ରାଗନ ଫଳ ଚାଷ କରୁଛନ୍ତି। ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଏହି ଅଭିନବ ପଦକ୍ଷେପ ନିଆଯାଇଥିଲା। ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବରଙ୍କ ନେତୃତ୍ୱରେ ଚାଷୀମାନଙ୍କୁ ତାଲିମ, ଏକ୍ସପୋଜର ଭିଜିଟ୍ ସହ ଆବଶ୍ୟକ ଚାରା ଓ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ପ୍ରାୟ ବର୍ଷେକ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଚାଷ ବର୍ତ୍ତମାନ ଫଳ ଦେବା ଆରମ୍ଭ କରିଛି। ଥରେ ଗଛରେ ଫଳ ଆସିବା ପରେ ବର୍ଷକୁ ପ୍ରାୟ ୮ ମାସ ଧରି ଅମଳ ମିଳିଥାଏ। ଅବଶିଷ୍ଟ ୪ ମାସ ଗଛର ଯତ୍ନ ନିଆଯାଏ। ସବୁଠାରୁ ଆକର୍ଷଣୀୟ କଥା ହେଲା, ଗୋଟିଏ ଗଛ ପ୍ରାୟ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ। ଫଳରେ ଚାଷୀମାନେ ଦୀର୍ଘକାଳୀନ ଆୟର ସୁଯୋଗ ପାଉଛନ୍ତି। ବିଭାଗୀୟ ସୂଚନା ଅନୁଯାୟୀ, ଏହି ଚାଷ ମାଧ୍ୟମରେ ଚାଷୀମାନେ ପ୍ରତି ଏକରରୁ ବାର୍ଷିକ ପ୍ରାୟ ୫ ଲକ୍ଷ ଟଙ୍କା ଆୟ କରିପାରିବେ। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ପ୍ରାୟ ଏକ କ୍ୱିଣ୍ଟାଲ ଡ୍ରାଗନ ଫଳ ସ୍ଥାନୀୟ ବଜାରରେ କିଲୋପିଛା ୧୫୦ରୁ ୧୬୦ ଟଙ୍କା ଦରରେ ବିକ୍ରି କରାଯାଇଛି। ଖୁଚୁରା ବଜାରରେ ଏହାର ମୂଲ୍ୟ ୨୦୦ରୁ ୨୫୦ ଟଙ୍କା ମଧ୍ୟରେ ରହିଛି। ଚାଷର ସଫଳତାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶକୁ ଫଳ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଉତ୍ପାଦନ ବୃଦ୍ଧି ପାଇଲେ ଦୁବାଇ ସମେତ ଆନ୍ତର୍ଜାତିକ ବଜାରକୁ ରପ୍ତାନି କରିବାକୁ ଯୋଜନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଫଳର ଅନେକ ଔଷଧୀୟ ଗୁଣ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସହାୟକ ହୋଇଥିବାରୁ ଏହାର ବଜାରରେ ବିକ୍ରୟ ଚାହିଦା ବଢୁଛି। ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ବିଶ୍ୱନାଥ ମିଶ୍ର କହିଛନ୍ତି, “ସ୍ଥାନୀୟ ଲୋକଙ୍କୁ ନିଜ ଅଞ୍ଚଳରେ ରହି ରୋଜଗାରକ୍ଷମ କରିବା, ଗଞ୍ଜେଇ ଭଳି ବେଆଇନ ଚାଷରୁ ଦୂରେଇ ରଖିବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବିଭିନ୍ନ ଲାଭଦାୟକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି।” ଡ୍ରାଗନ ଫଳ ଚାଷର ଏହି ସଫଳତା କେବଳ ଚାଷୀଙ୍କ ଆୟ ବଢ଼ାଇବ ନୁହେଁ, ବରଂ ସ୍ୱାଭିମାନ ଅଞ୍ଚଳର ବିକାଶ ଓ ଆର୍ଥିକ ସଶକ୍ତିକରଣରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେସ ଅରବିନ୍ଦ ରାଜଶିରକେ ସ୍ଵାଭିମାନ ଅଞ୍ଚଳ ପ୍ରତି ବିଶେଷ ଦ୍ରୁଷ୍ଟି ଦେଇଥିବା ବେଳେ ତାଙ୍କ ପ୍ରୟାସରେ ଆଗକୁ ସ୍ଵାଭିମାନ ଅଞ୍ଚଳରେ ଆହୁରି ଅଧିକ ରୋଜଗାର ପନ୍ଥା ସୃଷ୍ଟି କରାଯିବା ସହ ଏହି ଅଞ୍ଚଳକୁ ସ୍ଵତନ୍ତ୍ର ପରିଚୟ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
