କୋକସରା/କ୍ରାନ୍ତିକ୍ଷେତ୍ର : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ କୋକସରା ବ୍ଲକର କୋଣ-ଅନୁକୋଣ ଭକ୍ତି ଓ ଶ୍ରଦ୍ଧାର ରଙ୍ଗରେ ରଙ୍ଗେଇ ହୋଇଉଠିଛି ଶୈବାଳୟ। ଦେବଦେବ ମହାଦେବଙ୍କ ମୁଣ୍ଡରେ ଜଳାଭିଷେକ କରିବା ପାଇଁ ବ୍ଲକର ବିଭିନ୍ନ ପ୍ରସିଦ୍ଧ ଶୈବପୀଠଗୁଡ଼ିକରେ ହଜାର ହଜାର କାଉଡ଼ିଆ ଓ ସାଧାରଣ ଭକ୍ତଙ୍କ ଜନସମୁଦ୍ର ଦେଖିବାକୁ ମିଳିଛି। ଭୋର ସମୟରୁ ଶ୍ରାବଣ ନୀତି ନିର୍ଘଣ୍ଟ ଅନୁସାରେ ମନ୍ଦିର ଦ୍ୱାର ଫିଟାଯିବା ପରେ କାଉଡ଼ିଆଙ୍କ ‘ହର ହର ମହାଦେବ, ଭୋଲାବାବା ପାର୍ କରେଗା’ ଏବଂ ଗମ୍ଭୀର ଶିବମନ୍ତ୍ରର ଉଚ୍ଚାରଣରେ ସମଗ୍ର ଅଞ୍ଚଳର ଗଗନପବନ ପ୍ରକମ୍ପିତ ହୋଇପଡ଼ିଥିଲା। ବ୍ଲକର ବଡକେନ୍ଦୁଗୁଡା ସ୍ଥିତ ଝାରବନ୍ଦ ର ସର୍ବପୁରାତନ ତଥା ଐତିହାସିକ ଶୈବପୀଠ ଶ୍ରୀ ଶ୍ରୀ କାଲେଶ୍ୱର ମହାଦେବଙ୍କ ପୀଠରେ ସୋମବାର ଶହସ୍ର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କାଉଡ଼ିଆମାନେ ନଦୀରୁ ପବିତ୍ର ଜଳ ଆଣି ଶ୍ରଦ୍ଧାର ସହ ଜଳାଭିଷେକ କରିଥିଲେ। ଝାରବନ୍ଦ ପୀଠ ବ୍ୟତୀତ ବ୍ଲକର ଅନ୍ୟାନ୍ୟ ପ୍ରମୁଖ ଶୈବାଳୟ ଯଥା କୁସୁମଖୁଣ୍ଟି, ମୋଟେର, ଫୁପଗାଁ, ଓଲମା, କାଦୋପଦର, ଡ଼ହଗାଁ, ରେଙ୍ଗାଳପାଳି, ଝରିଆଗୁଡା, କୋକସରା, କୁମୁଡାମୁଣ୍ଡା, ସିଉନୀ, ବଡପୋଡାଗୁଡା, ଭାଲିଆଯୋର, ଡୁମେରବାହାଲ, ବରାଡଙ୍ଗା, ମୁଷାପାଲି, ଲଡୁଗାଁ, ଚିକିଲି, ଘଣ୍ଟିଗୁଡା, ଗୋତମୁଣ୍ଡା, ମୁଗୁନାପଦର କପାଟଦର ଶୈବପୀଠ ଓ ଡେଙ୍ଗାଗୁଡା ଆଦି ଶୈବପୀଠ ଗୁଡ଼ିକରେ ଶହ ଶହ ମାନସିକଧାରୀ ଭକ୍ତ ଓ କାଉଡ଼ିଆମାନେ ଧାଡ଼ି ବାନ୍ଧି ଜଳାଭିଷେକ କରିଥିଲେ। ଭକ୍ତ ଓ କାଉଡ଼ିଆଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍, ପାନୀୟ ଜଳ ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସାଧାରଣ ଶ୍ରଦ୍ଧାଳୁମାନେ ଯେପରି ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱେଚ୍ଛାସେବୀମାନେ ନିୟୋଜିତ ହୋଇଥିଲେ।
