କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ସ୍ଵପ୍ନରେ ଭାବି ନ ଥିଲା ଭେଣ୍ଡିଆ ପୁଅ, ନିଜ ଜନ୍ମ କଲା ବାପା ହାତରେ ନିଜ ଜୀବନ ଦୀପ ଲିଭିଯିବ ବୋଲି। କିନ୍ତୁ ବାପା ହାତରେ ହିଁ ଭେଣ୍ଡିଆ ପୁଅର ଜୀବନ ଚାଲିଗଲା। ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ। ମିଲିଥିବା ସୂଚନା ଅନୁସାରେ କଲମପୁର ଥାନା ଅନ୍ତର୍ଗତ ନୁଆଗୁଡା ଗ୍ରାମର ମାନସିଂ ଗହିର ଓ ପୁଅ ଆଲୋକ ରଂଜନ ଗହିରଙ୍କ ମଧ୍ୟରେ କୌଣସି କାରଣ ବଶତଃ ବଚସା ହୋଇଥିଲା। ବାପ ପୁଅର ପାଟିତୁଣ୍ଡ ଭିତରେ ବାପା ମାନସିଂ ଗହିର କାଠ ଫାଳିଆ ଉଠାଇ ପୁଅ ଆଲୋକ ରଂଜନ ଉପରେ ଆକ୍ରମଣ କରିଥିଲା। ସେହିଠାରେ ହିଁ ଟଳି ପଡ଼ିଥିଲେ ପୁଅ ଆଲୋକ ରଂଜନ, ମୁମୁର୍ଷୁ ଅବସ୍ଥାରେ ପୁଅ ଆଲୋକ ରଂଜନଙ୍କୁ ବଡ଼ଭାଇ ଦୀପକ ରଂଜନ ଗହିର ଓ ପାଖ ପଡୋଶି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଆଶୁତୋଷ ପରିଡ଼ା ଆଲୋକ ରଂଜନ ଗହିରଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଡାକ୍ତରଙ୍କ ଠାରୁ ସୂଚନା ପାଇ କଲମପୁର ପୋଲିସ ତତ୍ପରତା ପ୍ରକାଶ କରିଥିଲେ। ତୁରନ୍ତ ଶବ ଜବତ କରିବା ସହିତ ଅଭିଯୁକ୍ତ ବାପା ମାନସିଂଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲେ। ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ, ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧) ଅନୁସାରେ ମାମଲା ପଞ୍ଜିକୃତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବେଳେ ଆଜି ଅପରାହ୍ନ ସମୟରେ ଅଭିଯୁକ୍ତ ବାପା ମାନସିଂଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।
