ବ୍ଳକସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସଭାଗୃହ ଠାରେ ୮୦ ତମ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ଆଡ଼ମ୍ବର ଓ ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଥାନା ଅଧିକାରୀ ଡମ୍ବରୁଧର ଭର୍ତିଆ, ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫ, ଏବିଓଇ ତୋଫାନ ମାଝୀ ଓ ସଞ୍ଜୀବ କୁମାର ପାଢ଼ୀ ସମେତ ବିଧାୟକଙ୍କ ପ୍ରତିନିଧି ଭାବରେ ତ୍ରିନାଥ ଶବର ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଭୋର ୪.୦୦ ଟା ସମୟ ପ୍ରଭାତ ଫେରି। ସକାଳ ୮.୦୦ ଟାରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପତାକା ଉତ୍ତୋଳନ। ସକାଳ ୯.୧୫ ରେ ଗୁଡ଼ହାଣ୍ଡି ମଞ୍ଚରେ ବ୍ଲକସ୍ତରୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ, ଆକର୍ଷଣୀୟ ପରେଡ଼ ପ୍ରଦର୍ଶନ ଏବଂ ମୁଖ୍ୟ ଅତିଥିଙ୍କ ଅଭିଭାଷଣ ରହିଛି। ଏବଂ ମୁଖ୍ୟ ସମାରୋହ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ ଆଦି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ କୋକସରା ଗ୍ରାମର ସଚେତନ ନାଗରିକ, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି ବୈଠକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *