ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହାଗାଁଠାରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବାଘ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ନେଇ ସୂଚନା ପାଇବା ପରେ ବନ ବିଭାଗ ଅଚାନକ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବାଘଛାଲ, ନଖ ଓ ଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ନବରଙ୍ଗପୁର (ହିର୍ଲି ଡଙ୍ଗର) ଅଞ୍ଚଳର ସୁକେନ ଗୌଡ଼ ବୋଲି ବନ ବିଭାଗ ସୂଚନା ଦେଇଛି। ଗୁରୁବାର ଡହାଗାଁ ନିକଟରେ ସୁକେନ ଗୌଡ଼ ବାଘଛାଲ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ନେଇ ବନ ବିଭାଗ ନିକଟରେ ଗୁପ୍ତ ଖବର ପହଞ୍ଚିଥିଲା। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବିଶେଷ ଟିମ୍ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତଙ୍କୁ କାବୁ କରାଯିବା ସହ ଜବତ ସାମଗ୍ରୀ ସହ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଚଢ଼ାଉରେ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କ ସମେତ ବେହେରା ସେକ୍ସନ ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠ, ବନରକ୍ଷୀ ଲଳିତ ନାଏକ, ପ୍ରଭାସିନୀ ଗୋପାଳ, ପାରାଷ୍ଟାଫ୍ କ୍ଷତ୍ରିୟ ନାଏକ ଓ ମାନସ ସା ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୩ ମସିହାରେ ଆମପାଣି ଘାଟି ଅଞ୍ଚଳରୁ ବାଘଛାଲ ବିକ୍ରି ବେଳେ ୬ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଦୀର୍ଘଦିନ ହେବ କୋକସରା ଓ ସୀମାନ୍ତ ଅଞ୍ଚଳରେ ବନ ବିଭାଗର ପାଟ୍ରୋଲିଂ କୋହଳ ହେବାରୁ ଶିକାରୀମାନେ ପୁଣି ସକ୍ରିୟ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏହି ଚୋରା କାରବାର ପଛରେ ଏକ ବଡ଼ ଗ୍ୟାଙ୍ଗ୍ କାମ କରୁଥିବା ସନ୍ଦେହ କରାଯାଉଥିବା ବେଳେ ବନ ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
