୨ମାସ ଧରି ବିଏସ୍ଏନ୍ଏଲ ଟାୱାର ଅଚଳ ; ଉପଭୋକ୍ତା ଅସନ୍ତୋଷ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର : କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଡୁମାଳପଖାଳ ଗ୍ରାମରେ ଥିବା ବିଏସ୍ଏସ୍ଏଲ ମୋବାଇଲ ଟାୱାର ଦୁଇମାସ ହେବ ଅଚଳ ହୋଇଛି। ଫଳରେ ଡୁମାଳପଖାଳ ଗ୍ରାମବାସୀଙ୍କ ସମେତ କାଣିସିମେଲ, ଲବରକାନି, ଉତୁଲ୍ଲା ତ‌ଥା ଆଖପାଖ ଅଞ୍ଚଳର ଶହ ଶହ ଗ୍ରାହକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ଗ୍ରାମାଞ୍ଚଳରେ ସଞ୍ଚାର ସେବା ସୁଗମ କରିବା ପାଇଁ ଏହି ଟାୱାର ବସାଯାଇଥିଲା। ମାତ୍ର ବିଗତ ଦୁଇ ମାସ ହେବ ଟାୱାରଟି ସମ୍ପୂର୍ଣ୍ଣ ଅଚଳ ହୋଇଥିବାରୁ ନେଟୱର୍କ ବ୍ୟାହତ ହୋଇଛି। ଏଥିପାଇଁ ଫୋନ୍‌ରେ କଥା ହେବା ସମ୍ଭବ ହେଉ ନଥିବା ବେଳେ  ଇଣ୍ଟରନେଟ୍ ସେବା ମଧ୍ୟ ସମ୍ପୂର୍ଣ ବ୍ୟାହତ ହୋଇଛି। ଏହା ଯୋଗୁଁ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଅନଲାଇନ୍ କାମ ଓ ବ୍ୟବସାୟୀଙ୍କ ବ୍ୟବସାୟ ବିଶେଷ ଭାବେ ପ୍ରଭାବିତ ହୋଇଛି। ଖାସକରି ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ କିମ୍ବା ଡାକ୍ତରୀ ସେବା ପାଇଁ ଯୋଗାଯୋଗ କରିବାକୁ ହେଲେ ଲୋକଙ୍କୁ ଗ୍ରାମ ବାହାରକୁ କିମ୍ବା ଡେଙ୍ଗା ଗଛ ଓ ଘର ଛାତ ଉପରକୁ ଯିବାକୁ ପଡୁଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଏସଏନଏଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଗୋଟିଏ ପଟେ ସରକାର ‘ଡିଜିଟାଲ ଇଣ୍ଡିଆ’ ଉପରେ ଗୁରୁତ୍ବ ଦେଉଥିବା ବେଳେ ଅନ୍ୟପଟେ ବିଏସଏନଏଲ୍‌ ଅଧିକାରୀଙ୍କ ବେଖାତିର ମନୋଭାବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ଏହି ଟାୱାରକୁ ସଚଳ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *