ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ୍. ରବି କୁମାର) : ମାଲକାନଗିରି ଜିଲ୍ଲାରେ ସମ୍ପ୍ରତି ଭାଇରାଲ ହୋଇଥିବା ନକଲି ନିଯୁକ୍ତି ବିଜ୍ଞପ୍ତି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ସେହିପରି ଏକାଧିକ ବ୍ୟାଙ୍କ ଖାତା ସମ୍ପର୍କରେ ମଧ୍ୟ ସୂଚନା ମିଳିଥିବାରୁ ପୁଲିସ ଆର୍ଥିକ କାରବାର ଦିଗରେ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି। ଜିଲ୍ଲା ସଦର ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦିବ୍ୟରଞ୍ଜନ ଦଳେଇ ଏହି ସୂଚନା ଦେଇଛନ୍ତି। ଚାକିରି ଦେବା ନାମରେ ଠକେଇ ଉଦ୍ଦେଶ୍ୟରେ ନକଲି ନିଯୁକ୍ତି ବିଜ୍ଞପ୍ତି ପ୍ରଚାର କରାଯାଉଥିବା ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଏହାସହ ଏପରି ଭୁଆ ବିଜ୍ଞପ୍ତିର ପ୍ରଲୋଭନରେ ନ ପଡ଼ିବାକୁ ମଧ୍ୟ ସତର୍କ କରାଯାଇଥିଲା। ପୁଲିସ ସୂଚନା ଅନୁସାରେ, ଏହି ଘଟଣାରେ କୌଣସି ଚାକିରି ଆଶାୟୀ ଠକେଇର ଶିକାର ହୋଇଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ମିଳିଥିବା ତଥ୍ୟ ଆଧାରରେ ମାଲକାନଗିରି ଏସପି ବିନୋଦ ପାଟିଲ ଏଚଙ୍କ ନିର୍ଦ୍ଦେଶ କ୍ରମେ ଗତ ୪ ତାରିଖରେ ପୁଲିସ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ପରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ନକଲି ବିଜ୍ଞପ୍ତିରେ ଉଲ୍ଲେଖ ଥିବା ଯୋଗାଯୋଗ ନମ୍ବରଗୁଡ଼ିକର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ଆଧାରରେ ଭୁବନେଶ୍ୱରର ବିଶ୍ୱଜିତ ଜେନାଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍ ଜବତ ହୋଇଥିବାବେଳେ ଏକାଧିକ ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ମଧ୍ୟ ପୁଲିସ ହାତକୁ ଆସିଛି। ଏହି ଖାତାଗୁଡ଼ିକ ମାଧ୍ୟମରେ କୌଣସି ଆର୍ଥିକ କାରବାର ହୋଇଛି କି ନାହିଁ, ତାହାର ଯାଞ୍ଚ ଚାଲିଛି। ପ୍ରାଥମିକ ତଦନ୍ତରୁ ଏହି ଘଟଣାରେ ଏକାଧିକ ବ୍ୟାଙ୍କ ଖାତା ଓ ଆର୍ଥିକ କାରବାରର ସମ୍ପୃକ୍ତି ଥିବା ସନ୍ଦେହ ସୃଷ୍ଟି ହୋଇଥିବାବେଳେ ତଦନ୍ତ ଶେଷ ହେବା ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ନକଲି ନିଯୁକ୍ତି ବିଜ୍ଞପ୍ତି ଦେଖାଇ କାହାଠାରୁ ଅର୍ଥ ଆଦାୟ କରାଯାଇଛି କି ନାହିଁ, ଟଙ୍କା ନେଣଦେଣ ପାଇଁ କେଉଁ ଖାତା କିମ୍ବା ମୋବାଇଲ ନମ୍ବର ବ୍ୟବହାର ହୋଇଛି, ସେସବୁ ଦିଗରେ ମଧ୍ୟ ତଦନ୍ତ ଚାଲିଛି। ଏହାସହ ଏହି ରାକେଟ୍ରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ କେତେଜଣ ଚାକିରି ଆଶାୟୀ ଠକେଇର ଶିକାର ହୋଇଛନ୍ତି, ସେନେଇ ମଧ୍ୟ ପୁଲିସ ଖୋଳତାଡ଼ କରୁଛି। ତଦନ୍ତରେ ଠକେଇର ପ୍ରମାଣ ମିଳିଲେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସଡିପିଓ ଶ୍ରୀ ଦଳେଇ କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
