ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟର ସଭା ଗୃହରେ “ମଣ୍ଡଳ କମିଶନ ଦିବସ” ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ରାଜ୍ୟ ସଭାପତି ଶିବ ହାତୀ ଯାଦବ ମୁଖ୍ୟ ଅତିଥି ଓ ଅକ୍ଷୟ ମଲ୍ଲିକ ( ସାମାଜିକ ନ୍ୟାୟ ଅଭିଯାନର ଆବାହକ)ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସମାଜବାଦୀ ପାର୍ଟି ରାଜ୍ୟ ମହାସଚିବ ପ୍ରତାପ କିଶୋର ବାରିକ ବୈଠକରେ ପୌରହିତ କରିଥିଲେ। ତତ୍ ସହିତ ଶ୍ରୀବାରିକ ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣରେ ମଣ୍ଡଳ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ ମଧ୍ୟ କରିଥିଲେ। ମୁଖ୍ୟ ଅତିଥି ଶିବ ହାତୀ ଯାଦବ ( ରାଜ୍ୟ ସଭାପତି) ସଂରକ୍ଷଣ ବଞ୍ଚାଅ ବିଷୟରେ ନିଜର ମତାମତ ରଖି କହିଥିଲେ ଯେ ସମାଜରେ ସମାନତା ଆଣିବାକୁ ହେଲେ ଆମକୁ ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ଅଧିକାର ପାଇଁ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ଆଣିବାକୁ ପଡିବ। ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରୀ ହେବାର ୩୬ବର୍ଷ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ଓଡ଼ିଶାରେ ଶତକଡ଼ା ୫୪ ଭାଗ ପଛୁଆ ବର୍ଗଙ୍କ ପାଖରେ ସଂରକ୍ଷଣ ପହଞ୍ଚି ପାରିନାହିଁ। ଏଥି ପାଇଁ ସେ ବିଗତ ସରକାର ଓ ବର୍ତ୍ତମାନ ସରକାରଙ୍କ ଉପରେ ବର୍ଷିଥିଲେ। ଆଗାମୀ ଦିନରେ ସଂରକ୍ଷଣକୁ ବଞ୍ଚେଇବା ପାଇଁ ସମସ୍ତ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କୁ ସଂଗଠିତ ହୋଇ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଅକ୍ଷୟ ମଲ୍ଲିକ, ସରକାରଙ୍କ ସଂରକ୍ଷଣ ପଲିସିକୁ ସମାଲୋଚନା କରିଥିଲେ ଓ ସେ କହିଥିଲେ ଯେ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ଯେ ପର୍ଯ୍ୟନ୍ତ ତଳ ସ୍ତରରେ ଶହେ କୁ ଶହେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ସଂରକ୍ଷଣ ସମ୍ବିଧାନର ପ୍ରାବଧାନ ଅନୁଯାୟୀ ଜାରି ରହିବ। ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଯେଉଁ ସଂରକ୍ଷଣ ହଟାଓ ଅଭିଯାନ ରହିଛି, ତାହା ସମାଜର ଶତକଡ଼ା ୨ ଭାଗ ଉଚ୍ଚ ବର୍ଗ ମାନଙ୍କର ଚକ୍ରାନ୍ତ ମାତ୍ର। ଏହା ଭବିଷ୍ୟତରେ ସରକାରଙ୍କୁ ହରଡ଼ ଘଣାରେ ପକାଇ ଗାଦିଚ୍ୟୁତ କରିବ ଏଥିରେ ସନ୍ଦେହ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ବିକ୍ରମସେନ୍ ବେହେରା, ଟଙ୍କଧର ଦାସ, ବାଳକୃଷ୍ଣ ଷଣ୍ଢ, ଜଗଦୀଶ ଯାଦବ, ଗୁରୁବାରୀ ନାୟକ, ପଞ୍ଚାନନ ପ୍ରଧାନ, ଲିପୁନ୍ ପରିଡ଼ା, କିଷାନ୍ ସୁବୁଦ୍ଧି ଓ ମଲ୍ଲିକ୍ କମରୁଦ୍ଧିନ୍ ଅଲ୍ଲୀ ଆଲୋଚନାରେ ଭାଗ ନେଇ ପଛୁଆ ବର୍ଗ ମାନଙ୍କ ପ୍ରତି ସଂରକ୍ଷଣରେ କରାଯାଉଥିବା ଅନ୍ୟାୟ ଓ ଅବିଚାର ର ଘୋର ନିନ୍ଦା କରିଥିଲେ ଓ ସରକାରଙ୍କ ଉପରେ ବର୍ଷିଥିଲେ। ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ସମାଜବାଦ ଚିନ୍ତାଧାରାର ମିଳିତ ଜନତା ଦଳ ସରକାର ବି.ପି. ମଣ୍ଡଳ କମିଶନ ବସାଇଥିଲେ ଓ ସେତେବେଳର ଭି. ପି .ସିଂହ ସରକାରଙ୍କୁ ଉକ୍ତ ମଣ୍ଡଳ କମିଶନ ରିପୋର୍ଟ ଗତ ଅଗଷ୍ଟ ୭ ତାରିଖ ୧୯୯୦ ମସିହାରେ ବି .ପି. ମଣ୍ଡଳ ତାଙ୍କ ରିପୋର୍ଟ ଦାଖଲ କରିଥିଲେ, ଦୀର୍ଘ ୩୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଓଡ଼ିଶାରେ ପଛୁଆ ବର୍ଗ ମାନଙ୍କୁ ମଣ୍ଡଳ କମିଶନ ଅନୂଯାୟୀ ସଂରକ୍ଷଣ ପହଞ୍ଚି ପାରିନାହିଁ। ଶେଷରେ ମହମ୍ମଦ ଅକତାର ଧନ୍ୟବାଦ୍ ଅର୍ପଣ କରିଥିଲେ।
