ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୨୫ କିମି ପଦଯାତ୍ରାରେ ଗର୍ଜିଲେ ଚାଷୀ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ଚାଷୀଙ୍କ ସମସ୍ୟା ପ୍ରତି ସରକାରୀ ଉଦାସୀନତା ଏବଂ ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି ଜନସଂଗ୍ରାମ ସମିତି ପକ୍ଷରୁ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରାୟ ୩୦୦ ଜଣ ଚାଷୀ ଗୋଲାମୁଣ୍ଡାରୁ ଧର୍ମଗଡ଼ ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର ପଦଯାତ୍ରା କରି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀ ଓ ଜନସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗୋଲାମୁଣ୍ଡା ବ୍ଲକ ଏକ କୃଷିପ୍ରଧାନ ଓ ଆଦିବାସୀ ଅଧ୍ୟୁଷିତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ। ବ୍ଲକର ପ୍ରାୟ ୮୦ ପ୍ରତିଶତ ପରିବାର ଚାଷ ଉପରେ ନିର୍ଭରଶୀଳ। ମରୁଡ଼ିପ୍ରବଣ ଅଞ୍ଚଳ ଭାବେ ପରିଚିତ ଗୋଲାମୁଣ୍ଡାରେ ଚାଷୀମାନେ ପ୍ରତିବର୍ଷ ବିଭିନ୍ନ ପ୍ରାକୃତିକ ଓ ପ୍ରଶାସନିକ ସମସ୍ୟାର ସମ୍ମୁଖୀନ ହେଉଥିବା ସମିତି ପକ୍ଷରୁ କୁହାଯାଇଛି। ବିଶେଷକରି ଶସ୍ୟବୀମା ପଞ୍ଜିକରଣକୁ ନେଇ ଚାଷୀମାନେ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଜମି ପଟ୍ଟା ଓ ରଇତାନୀ ପଟ୍ଟା ହିତାଧିକାରୀଙ୍କ ଶସ୍ୟବୀମା ଦରଖାସ୍ତ ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସେହିପରି ଚାଷୀଙ୍କ ଧାନ ବିକ୍ରୟ ପଞ୍ଜିକରଣ ଓ ଶସ୍ୟବୀମା ପଞ୍ଜିକରଣରେ ଏଗ୍ରୋଷ୍ଟେକ୍ ବ୍ୟବସ୍ଥା ଯୋଗୁଁ ଚାଷୀମାନେ ସମସ୍ୟାରେ ପଡ଼ୁଥିବା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ବ୍ୟବସ୍ଥାକୁ ହଟାଇ ଚାଷୀଙ୍କ ପାଇଁ ସରଳ ପଞ୍ଜିକରଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଗୋଲାମୁଣ୍ଡା ବ୍ଲକରେ ସାରର କଳାବଜାରୀ ଏବଂ ଚଢ଼ାଦରରେ ସାର ବିକ୍ରି ହେଉଥିବା ନେଇ ମଧ୍ୟ ଚାଷୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଭଳି କାର୍ଯ୍ୟରେ ସମ୍ପୃକ୍ତ ସାର ଦୋକାନୀମାନଙ୍କୁ ଚିହ୍ନଟ କରି ଲାଇସେନ୍ସ ରଦ୍ଦ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଚାଷୀମାନଙ୍କ ଅଭିଯୋଗ, ଚାଷ ସମୟରେ ଆବଶ୍ୟକ ସାର ଠିକ୍ ସମୟରେ ଓ ଉଚିତ ଦରରେ ନମିଳିଲେ ଉତ୍ପାଦନ ଖର୍ଚ୍ଚ ବଢ଼ିବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେଉଛି। ତେଣୁ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ଚାଷୀମାନେ କହିଛନ୍ତି ଯେ, ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଚାଷୀଙ୍କ ଏହି ଅଭିଯୋଗ ଉପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ କି ପଦକ୍ଷେପ ନେଉଛନ୍ତି, ତାହାକୁ ନେଇ ଏବେ ଚାଷୀ ମହଲରେ ଅପେକ୍ଷା ରହିଛି। ଏହି ପଦଯାତ୍ରାରେ ଅଶାରୁ ମାଝୀ, ଟିକେ ମାଝୀ, ଜଗବନ୍ଧୁ ମାଝୀ, ଭୁଜାନ ମାଝୀ, ରୁଷୀ ମାଝୀ, ମଦସୁଦନ ମାଝୀ, ଜୟରାମ ମାଝୀ, ଭୁମି ମାଝୀ, ଯୁଧିଷ୍ଠିର ମାଝୀ, କୁମୁଦା ଗହିର, ପିତସ ସିପକା, ତୁସାର ସୁନାନୀ, ରିଦ୍ର ମଙ୍ଗରାଜ, ଘନ ରାଣା, ସନ୍ତୋଷ ମାଝୀ, କବିରାଜ ମଙ୍ଗରାଜ, ଜାମା ଧାରୁଆ, ଅକାଲୁ ମାଝୀ ଓ କୁଶ ମାଝୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *