ମରଣଯନ୍ତା ପାଲଟିଛି ୬ନମ୍ବର ରାଜ୍ୟ ରାଜପଥ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଭବାନିପାଟଣାଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ଲଗାଣ ବର୍ଷା ପରେ ରାଜପଥର ବିଭିନ୍ନ ସ୍ଥାନରେ ବିରାଟ ଖାଲ ସୃଷ୍ଟି ହୋଇଥିବାରୁ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଛି। ଢେପଗୁଡ଼ା ନିକଟସ୍ଥ ଏକ ପୋଲ ଉପରେ ବଡ଼ ଖାଲ ସୃଷ୍ଟି ହୋଇଛି। ପୂର୍ବରୁ ଏହି ପୋଲ ଉପରେ ମାଲବାହୀ ଟ୍ରକ ଓ ବାଇକ୍ ଦୁର୍ଘଟଣାରେ ଚାଳକ ମାନେ ପ୍ରାଣ ହରାଇସାରିଛନ୍ତି। ରାତି ସମୟରେ ଗର୍ତ୍ତ ଦେଖାନଯିବାରୁ ପ୍ରାୟ ଦିନ ଲୋକ ଆହତ ହେଉଛନ୍ତି। ଗତ ଗୁରୁବାର ଦିନ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ଅନ୍ତର୍ଗତ ମାଡିବନ୍ଧା ଗାଁର ଚନ୍ଦ୍ର ହରିଜନ ଓ ତାଙ୍କ ସ୍ତ୍ରୀ ସଞ୍ଜୁ ହରିଜନ ପୋଖରୀବନ୍ଧ ପଟୁ ଘରକୁ ଫେରୁଥିବା ବେଳେ ଏହି ଗର୍ତ୍ତରେ ବାଇକ୍ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏଥିରେ ସଞ୍ଜୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଓ ହାତ ଭାଙ୍ଗି ଯାଇଥିଲା। ପ୍ରଥମେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଏବେ ପରିବାର ଅଥଳ ସଙ୍କଟରେ ପଡ଼ିଛି। ଏହି ରାସ୍ତାର ପୋଖରୀବନ୍ଧଠାରୁ ଛତିକୁଡ଼ା ପର୍ଯ୍ୟନ୍ତ ରାଜପଥର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ବର୍ଷା ପାଣିରେ ପୋଖରୀ ସଦୃଶ ହୋଇପଡ଼ିଛି। କିଡିଙ୍ଗ ସ୍ଥିତ ବେହେରା ପୋଲ ଓ କାଉଗୁଡ଼ା ନିକଟସ୍ଥ ପୋଲ ନିକଟରେ ରାସ୍ତା କଡ଼ରେ ବଡ଼ ଘାଇ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନବାହାନ ସହ ସାଧାରଣ ଲୋକେ ଯାତାୟାତ କରୁଛନ୍ତି। ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ ଅଞ୍ଚଳବାସୀ ନିଜେ ଆରୋହୀମାନଙ୍କୁ ଦେଖିକରି ଯିବ ନାଇଁ ହେଲେ ଜୀବନ ଯିବା ବୋଲି ସଚେତନ କରୁଛନ୍ତି। ଦୁର୍ଘଟଣାକୁ ଏଡାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆଗକୁ ଆଉ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ସାଧାରଣ ଜନତା ସରକାରଙ୍କ ନିକଟରେ ଶୀଘ୍ର ପୋଲ ଓ ରାସ୍ତାର ମରାମତି, ସୁରକ୍ଷା ବ୍ୟାରିକେଡ୍, ସତର୍କ ସୂଚନା ବୋର୍ଡ ଓ ରାତିରେ ଦୃଶ୍ୟମାନ ହେବା ପାଇଁ ରିଫ୍ଲେକ୍ଟର ଲଗାଇବାକୁ ଦାବି କରିଛନ୍ତି। ପ୍ରଶାସନ ଓ ପୁର୍ତ୍ତ ବିଭାଗ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *