‘ଅଲ୍ ଇନ୍ ୱାନ୍’ ପକ୍ଷରୁ ବୋଲ୍‌ବମ୍ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ  ବଣ୍ଟନ

କଣ୍ଟାମାଲ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ସାରା ବିଶ୍ୱରେ ଆଧ୍ୟାତ୍ମିକତାର ମହାପର୍ବ ତଥା ପବିତ୍ର ଶ୍ରାବଣ ମାସର ମାହାତ୍ମ୍ୟ ଚାଲିଥିବା ବେଳେ, କାଉଡ଼ିଆ ଭକ୍ତଙ୍କ ସେବା ପାଇଁ ଆଗେଇ ଆସିଛି ସ୍ଥାନୀୟ ଅଗ୍ରଣୀ ସଂଗଠନ ‘ଅଲ୍ ଇନ୍ ୱାନ୍’। ଶିବଭକ୍ତଙ୍କ ସେବା ହିଁ ମାଧବ ସେବା ଏହି ମହତ ଚିନ୍ତାଧାରାକୁ ପାଥେୟ କରି ସ୍ଥାନୀୟ ହାଟପଦା ଛକସ୍ଥିତ ବିଜୟ କ୍ଲଥ୍ ଷ୍ଟୋର ସମ୍ମୁଖରେ ସଂଗଠନ ପକ୍ଷରୁ ଏକ ଭବ୍ୟ ବୋଲ୍‌ବମ୍ ପ୍ରସାଦ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରାବଣ ମାସର ପବିତ୍ର ରବିବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ଏକ ଶ୍ରଦ୍ଧା ଏବଂ ଭକ୍ତିର ଅପୂର୍ବ ପରିବେଶ ସୃଷ୍ଟି କରିଥିଲା। ଦୀର୍ଘ ପଥ ଅତିକ୍ରମ କରି ପବିତ୍ର ଜଳ ସଂଗ୍ରହ ପୂର୍ବକ ବାବା ଭୋଳାନାଥଙ୍କ ଜଳାଭିଷେକ ପାଇଁ ଯାଉଥିବା ଶତାଧିକ ଗେରୁଆ ବସ୍ତ୍ରଧାରୀ ଶ୍ରଦ୍ଧାଳୁଙ୍କୁ ଏହି ଶିବିରରେ ସ୍ୱାଗତ କରାଯାଇଥିଲା। ଭକ୍ତମାନଙ୍କ କ୍ଳାନ୍ତି ଦୂର କରିବା ସହ ସେମାନଙ୍କୁ ଆଧ୍ୟାତ୍ମିକ ତୃପ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ବିଶୁଦ୍ଧ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ପ୍ରସାଦ ସେବନ ସମୟରେ ସମଗ୍ର ସହର “ଓଁ ନମଃ ଶିବାୟ” ଏବଂ “ହର ହର ମହାଦେବ” ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା, ଯାହା ସେଠାରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କ ମନରେ ଏକ ଦିବ୍ୟ ଶିହରଣ ସୃଷ୍ଟି କରିଥିଲା। ଏହି ସେବା ଶିବିରକୁ ସଫଳ ଏବଂ ସୁସଂଗଠିତ କରିବାରେ ‘ଅଲ୍ ଇନ୍ ୱାନ୍’ ଗ୍ରୁପ୍‌ର ପ୍ରମୁଖ ସଦସ୍ୟ ସୁକ, ସୁରେନ୍ଦ୍ର, ଟୁନା, ଜିତୁ, ବିଜୟ, ସଚି, ଅଚ୍ୟୁତ, ଅରୁଣ, ପଙ୍କଜ ଏବଂ ଜଗଦୀଶଙ୍କ ସମେତ ବିଜୟ କ୍ଲଥ୍ ଷ୍ଟୋରର ସଦସ୍ୟ ବିଜୁ ଓ ମୋହିତ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ। ଏଥିସହିତ ବଣିକ ସଂଘର ଚୈତନ୍ୟ, ବିଶିଷ୍ଟ ଶିକ୍ଷାବିତ୍ ରୁପଶୀଙ୍ଗ, ଡ୍ରାଇଭର ସଂଘର ସଦସ୍ୟ ମୋହନ ଏବଂ ଶ୍ରୀରାମ ଜି ନାଟ୍ୟ ସଂସଦ ବନ୍ଧପଲିର ସୁଦାମ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ସମସ୍ତ ସଦସ୍ୟ ଶୃଙ୍ଖଳାର ସହ ନିଜେ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ପରଷିବା ସହ ସେମାନଙ୍କ ସେବା ଶୁଶ୍ରୂଷା କରିଥିଲେ। ଭକ୍ତି, ପ୍ରେମ ଓ ସେବାର ଏହି ଅପୂର୍ବ ସମନ୍ୱୟ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ସଂଗଠନର ଏହି ଜନକଲ୍ୟାଣକାରୀ ତଥା ଆଧ୍ୟାତ୍ମିକ ପ୍ରୟାସ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ସାଜିବ ବୋଲି ମତପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *