କୋକସରା/କ୍ରାନ୍ତିକ୍ଷେତ୍ର : ଧାନ ପଞ୍ଜିକରଣକୁ ନେଇ ସରକାର ନୂତନ ଗାଇଡ୍ଲାଇନ୍ ଆଣିବା ପରେ ଚାଷୀଙ୍କ ଚିନ୍ତା ବଢ଼ିଛି। ଚଳିତ ବର୍ଷ ‘ଏଗ୍ରୀଷ୍ଟାକ’ ଆଇଡି ଲାଗୁ କରାଯାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଜଟିଳ ବ୍ୟବସ୍ଥାକୁ ହଟାଇବା ସହ ସରଳ ପ୍ରକ୍ରିୟାରେ ଧାନ ପଞ୍ଜିକରଣ କରିବା ଦାବିରେ ମଙ୍ଗଳବାର କୋକସରା ଅଞ୍ଚଳର ଶତାଧିକ ଚାଷୀ ଏକତ୍ରିତ ହୋଇଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଚାଷୀ ସମୂହ ବିଭିନ୍ନ ତହସିଲ କାର୍ଯ୍ୟଳୟରେ ପହଞ୍ଚି ଥିଲେ। ଏବଂ ସେଠାରେ ଏଗ୍ରୀଷ୍ଟାକ୍ ହଟାଓ ଚାଷୀ ବଞ୍ଚାଓ ଭଲି ବିଭିନ୍ନ ନାରା ଦେଇ ପ୍ରତିବାଦ କରିଥିଲେ। ପରେ ତହସିଲଦାର ଚୌଡଗଙ୍ଗ ପ୍ରଧାନଙ୍କ ଜରିଆରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଚାଷୀ ପଞ୍ଜିକରଣ ସକାଶେ ଏଗ୍ରୀଷ୍ଟାକ ଆଇଡି ପ୍ରଚଳନ କୁ ବନ୍ଦ କରାଯାଉ ଓ ମୃତ ରୟତ ମାନଙ୍କର ଉତ୍ତରାଧୀକାରୀଙ୍କୁ ପଞ୍ଜିକରଣରେ ସାମିଲ କରିବା ସହିତ ତୁରନ୍ତ ଖାତିଆନ ଦୁଇ ଖାନା ପରିବର୍ତ୍ତନ କରାଯାଉ, ପି-ପାସ୍ ପୋର୍ଟାଲରେ ପଞ୍ଜିକରଣ ସମୟରେ ଲିଫ୍ଟ ଇର୍ରିଗସନ ପ୍ରଦର୍ଶନ ହେଉ, ରାସାୟନିକ ସାର ମାନଙ୍କର ମନ ଯାଞ୍ଚ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ସମବାୟ ସେବା ସମିତି ଗୁଡିକରେ ଅନେକ କମ୍ପ୍ୟୁଟର ଓ ଉପକରଣ ତଥା ଡାଟା ଏଣ୍ଟ୍ରି ଅପ୍ରରେଟର ନିଯୁକ୍ତ କରାଯାଉ ଫଳରେ ପଞ୍ଜିକରଣ ସୁଚାରୁରୂପେ ହୋଇ ପାରିବା ଭଲି ଦାବି ରହିଥିଲା। ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲଙ୍କ ସମେତ ପୁରୁଷୋତ୍ତମ ଦାସ ଗୁପ୍ତା, ଜୟଲାଲ ନାଏକ, ରବିନାରାୟଣ ଦାସ, ପଙ୍କଜ ମୁଖ ଚୌଧୁରୀ, ମଙ୍ଗଳୁ ଚରଣ ଭାଟି, ତ୍ରିଭୁବନ ନାଏକ, କମଳାକାନ୍ତ ସାହୁ, ସୁଶାନ୍ତ ବେହେରା, ଭକ୍ତିରାମ ପୋଡ଼, ବିଶ୍ବନାଥ ପଟ୍ଟନାୟକ, ମହେନ୍ଦ୍ର ନେଗୀ, ବାବୁ ସାହୁ, କୁରୁକ୍ଷେତ୍ର ପାଣିଗ୍ରାହୀ, ଡମ୍ବରୁଧର ମାଝି, ଗୁଲସନ ବାଗ, ଦୁର୍ଗା ନାଏକ, ପ୍ରମୋଦ ପଣ୍ଡା, ବସନ୍ତ ପଟ୍ଟନାୟକ, ଦିପକ ପଣ୍ଡା, ପିତାମ୍ବର ପଟ୍ଟନାୟକ, ଜତିନ୍ ମାଝୀ ସମେତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।
