ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ ରବି କୁମାର) : ମାଲକାନଗିରି ଜିଲ୍ଲା ସଦର ମହକୁମାର ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ ଭାବେ ପରିଚିତ ପୁରୁଣା ଥାନା ଛକ ଏବେ ବୁଲା ଗୋରୁଗାଇଙ୍କ ସୁରକ୍ଷିତ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ଏହାଫଳରେ ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ ଏବଂ ପଥଚାରୀମାନେ ପ୍ରତିଦିନ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଚାରିଛକଟି ଜିଲ୍ଲା କାରାଗାର ରାସ୍ତା, ମୁଖ୍ୟ ରାଜପଥ ଏବଂ ସାଇବର ଥାନାକୁ ସଂଯୋଗ କରୁଥିବାରୁ ଏଠାରେ ସବୁବେଳେ ଜନଗହଳି ଲାଗି ରହିଥାଏ। ପୋଲିସ ପିସିଆର ଭ୍ୟାନ ସମେତ ଶତାଧିକ ଛୋଟବଡ଼ ଯାନବାହାନ ଓ ଆମ୍ବୁଲାନ୍ସ ଏହି ମାର୍ଗ ଦେଇ ନିୟମିତ ଯାତାୟାତ କରିଥାଏ। ମାତ୍ର ଦିନ ହେଉ କି ରାତି, ସବୁ ସମୟରେ ଛକ ମଝିରେ ଦଳ ଦଳ ବୁଲା ଗୋରୁ ଜମା ହୋଇ ରହୁଥିବାରୁ ଏଠାରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦିନକୁ ଦିନ ଦୁର୍ଘଟଣାର ମାତ୍ରା ବଢ଼ିବାରେ ଲାଗିଛି। ବିଶେଷ କରି ରାତି ସମୟରେ ଗାଡ଼ି ଚାଳକମାନେ ଏହି ଗୋରୁଗାଇଙ୍କୁ ଦେଖି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବୁଲା ଗୋରୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସରକାରୀ କାଞ୍ଜିଆ ଗୃହ ନିର୍ମାଣ କରାଯାଇଛି। ମାତ୍ର ଦୁର୍ଭାଗ୍ୟର ବିଷୟ, ଏହି ଗୃହଟି ବାସ୍ତବରେ କୌଣସି କାମରେ ଆସୁନାହିଁ। ପୌରପରିଷଦର ଏଭଳି ଚରମ ଉଦାସୀନତା ଓ ନିଷ୍କ୍ରିୟତା ଯୋଗୁଁ ସାଧାରଣ ଜନତା ଏବଂ ଗାଡ଼ି ଚାଳକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସହରର ସୌନ୍ଦର୍ଯ୍ୟକରଣ ଓ ଜନସୁରକ୍ଷା ପ୍ରତି ସ୍ଥାନୀୟ ପ୍ରଶାସନର ଏଭଳି ଦାୟିତ୍ୱହୀନ ମନୋଭାବକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ସହରକୁ ଦୁର୍ଘଟଣାମୁକ୍ତ କରିବା ପାଇଁ ପୌର କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଛକରୁ ବୁଲା ଗୋରୁଙ୍କୁ ହଟାଇବା ସହ ନିର୍ମିତ କାଞ୍ଜିଆ ଗୃହକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜନସାଧାରଣରେ ଦୃଢ଼ ଦାବି ହେଉଛି।
