୮୦ ତମ ସ୍ବାଧିନତା ଦିବସ : ତ୍ରିରଙ୍ଗା ଛାୟାରେ ହସିଲା ସମଗ୍ର କୋକସରା

କୋକସରା/କ୍ରାନ୍ତିକ୍ଷେତ୍ର : ଦେଶପ୍ରେମର ଅପୂର୍ବ ଆବେଶ, ଆକାଶରେ ଉଡୁଥିବା ଗୌରବମୟ ତ୍ରିରଙ୍ଗା ଏବଂ ପ୍ରତିଟି ପ୍ରାଣରେ ଭାରତ ମାତା ପ୍ରତି ଗଭୀର ଶ୍ରଦ୍ଧା। ଶନିବାର ପବିତ୍ର ୮୦ ତମ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀରୁ ନେଇ ପଲ୍ଲୀ, ସବୁଠି ସ୍ବାଧୀନତାର ଅମୃତ ଉତ୍ସବ ଦେଖିବାକୁ ମିଳିଥିଲା। ଏହି କ୍ରମରେ କୋକସରା ବ୍ଲକର ପ୍ରତ୍ୟେକ କୋଣ ଅନୁକୋଣରେ ଜାତୀୟତା ବୋଧ ଓ ସ୍ବାଭିମାନର ମହାପର୍ବ ଅତ୍ୟନ୍ତ ହର୍ଷ, ଉଲ୍ଲାସ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗୁଡ଼ହାଣ୍ଡି ମଞ୍ଚ ନିକଟରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିଜର ଦେଶପ୍ରେମୀ ଉଦବୋଧନରେ ସେ’ ମାତୃଭୂମିର ସ୍ବାଧୀନତା ପାଇଁ ନିଜ ଜୀବନକୁ ଆହୁତି ଦେଇଥିବା ବିର ସଂଗ୍ରାମୀ ଓ ମହାପୁରୁଷମାନଙ୍କ ଅମର ବଳିଦାନକୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଥାନା ଅଧିକାରୀ ଡମ୍ବରୁଧର ଭରତିଆ ଏବଂ ବିଧାୟକ ପ୍ରତିନିଧି ତ୍ରିନାଥ ଶବର ପ୍ରମୁଖ ଗୌରବାନ୍ୱିତ ଉପସ୍ଥିତି ପ୍ରଦାନ କରିଥିଲେ। ଏହି କ୍ରମରେ ଅଞ୍ଚଳର ବିକାଶ ଓ ସେବାରେ ଯୋଗଦାନ ପାଇଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କୁ ବିଶେଷ ଭାବେ ସମ୍ମାନୀତ କରାଯାଇଥିଲା। ସେହିପରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। କୋକସରା ଜବାହର ଉଚ୍ଚ ବିଦ୍ୟାଳୟ, ବଙ୍ଗୋମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସରସ୍ଵତୀ ଶିଶୁ ମନ୍ଦିର, ପଞ୍ଚାୟତ ସମିତି ଯୁକ୍ତ ଦୁଇ କଲେଜ, ଡିଗ୍ରୀ ମହାବିଦ୍ୟାଳୟ ଏବଂ ମୋଟେର ଏଲ୍‌. ମାସି ଇଂରାଜୀ ବିଦ୍ୟାଳୟ ଆଦି ସ୍କୁଲ ଓ କଲେଜର ଶତାଧିକ ଛାତ୍ରଛାତ୍ରୀ ଦେଶପ୍ରେମର ଜୋଶ୍‌ ସହ ଆକର୍ଷଣୀୟ ପରେଡ୍‌ରେ ଅଂଶଗ୍ରହଣ କରି ଜାତୀୟ ପତାକାକୁ ସଲାମ ଜଣାଇଥିଲେ। ସେହିପରି କୋକସରା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପଟ୍ଟନାୟକପଡ଼ାଠାରେ ଶ୍ରଦ୍ଧା ଓ ଉତ୍ସାହର ସହ ସ୍ବାଧୀନତା ଦିବସ ପାଳିତ ହୋଇଛି। ସଂଘର ସଭାପତି ଚକ୍ରଧର ବେଶ୍ରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସାମ୍ବାଦିକ ଜଗଦୀଶ ନାଏକ, ହିରଣ୍ୟ ବେହେରା, ପରେଶ ପଟ୍ଟନାୟକ, ତୁଲାରାମ ବେହେରା, ଦେବେନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ରହି ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ଏହା ବ୍ୟତୀତ ବ୍ଲକ ବିଜେଡ଼ି କାର୍ଯ୍ୟାଳୟ, ବିଜେପି କାର୍ଯ୍ୟାଳୟ, କଂଗ୍ରେସ କାର୍ଯ୍ୟାଳୟ, ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମେତ କୋକସରା ବ୍ଲକର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବେଶ୍‌ ଆଡ଼ମ୍ବର ସହକାରେ ପତାକା ଉତ୍ତୋଳନ କରାଯାଇ ମାତୃଭୂମିର ଜୟଗାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *