ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ଠାରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରବିନ୍ଦ୍ରନାଥ କହଁର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରମେଶ କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀଙ୍କ ସମେତ ରାୟଗଡ଼ ମହିଳା ମହାବିଦ୍ୟାଳୟର ପଲିଟିକାଲ୍ ସାଇନ୍ସ ଅଧ୍ୟାପକ ରୌମ୍ୟ ରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ସମୂହ ଭାବେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିବାବେଳେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ସ୍ମୃତିରେ ଦୁଇ ମିନିଟ୍ର ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅତିଥିମାନେ ବିଭାଜନ ବିଭୀଷିକାର ଇତିହାସ, ତାହାର ଦୁଃଖଦ ପରିଣାମ ଏବଂ ଏଥିରୁ ମିଳୁଥିବା ଶିକ୍ଷା ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭାଜନ ବିଭୀଷିକାକୁ ଆଧାର କରି ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏଥିସହ ‘ଜୟ ଜଗନ୍ନାଥ ନାଟ୍ୟକଳା ପରିଷଦ’ ପକ୍ଷରୁ ବିଭାଜନର ଦୁଃଖଦ ଘଟଣାବଳୀ ଓ ମାନବୀୟ ଯନ୍ତ୍ରଣାକୁ ନେଇ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ଓ ସାଧାରଣ)ଙ୍କ ଦ୍ୱାରା ବିଭାଜନ ବିଭୀଷିକା, ଜାତୀୟ ପତାକା ତିରଙ୍ଗା ଏବଂ ‘ବନ୍ଦେ ମାତରମ୍’ ଗୀତର ଇତିହାସ ଓ ବିଶେଷତାକୁ ନେଇ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା। ପ୍ରଦର୍ଶନୀ ମାଧ୍ୟମରେ ଦେଶ ବିଭାଜନର ଇତିହାସ ଓ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ବିଭିନ୍ନ ଐତିହାସିକ ଦୃଶ୍ୟକୁ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଭାଜନ ବିଭୀଷିକାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଜିଲ୍ଲାପାଳ, ଅଧିକାରୀ, ଛାତ୍ରଛାତ୍ରୀ ଓ ଅନ୍ୟ ଅତିଥିମାନଙ୍କ ଅଂଶଗ୍ରହଣରେ ଏକ କ୍ୟାଣ୍ଡେଲ୍ ମାର୍ଚ୍ଚ ଆୟୋଜିତ ହୋଇଥିଲା। ବିଜୁ ପଟ୍ଟନାୟକ ଅଡିଟୋରିୟମ୍ଠାରୁ ଆରମ୍ଭ ହୋଇଥିବା ଏହି ମାର୍ଚ୍ଚ ଗାନ୍ଧୀ ପାର୍କଠାରେ ସମାପ୍ତ ହୋଇଥିଲା। ଶେଷରେ ଡିସିଓ, ରାୟଗଡ଼ଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ସଫଳତାର ସହ ପରିଚାଳନା କରିଥିଲେ।
