ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ୮୦ତମ ସ୍ୱାଧୀନତା ଦିବସ ଅବସରରେ ଖାମାରପଦର ଗ୍ରାମରେ ଉତ୍ସାହ ଓ ଉଦ୍ଦୀପନାର ସହ ଜାତୀୟ ପତାକା ଉତ୍ତୋଳନ ସହ ଖାମାରପଦର ୟୁଥ୍ କ୍ଲବ୍ର ଶୁଭ ଉଦ୍ଘାଟନ କରାଯାଇଛି। ଗାଁର ପୂର୍ବତନ ଶିକ୍ଷକ ତ୍ରିଲୋଚନ ନାଏକଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା। ଯୁବପିଢ଼ିଙ୍କୁ ଏକତ୍ରିତ କରି ଶିକ୍ଷା, କ୍ରୀଡ଼ା, କଳା-ସଂସ୍କୃତି, ସାମାଜିକ ସେବା, ସ୍ୱଚ୍ଛତା ଓ ଗ୍ରାମ ବିକାଶମୂଳକ କାର୍ଯ୍ୟରେ ସାମିଲ କରିବା କ୍ଲବ୍ର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳା, ଶିକ୍ଷକ, ସରପଞ୍ଚ, ୱାର୍ଡ ସଦସ୍ୟ, ସେବାସେବୀଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ। ସରପଞ୍ଚ ମହେନ୍ଦ୍ର କୁମାର ନାଏକଙ୍କ ସମେତ ବିଭିନ୍ନ ସମ୍ମାନିତ ବ୍ୟକ୍ତିଙ୍କ ପ୍ରେରଣା ଓ ସହଯୋଗରେ କ୍ଲବ୍ର ଗଠନ ହୋଇଛି। କ୍ଲବ୍ର ସଭାପତି ଭାବେ ବିଭୁ ସାଗର, ସମ୍ପାଦକ ସରଜ କୁମାର ନାଏକ ଓ ଆକାଉଣ୍ଟାଣ୍ଟ ଭାବେ ଦିବ୍ୟ ଚରଣ ନାଏକ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଯୁବ ପ୍ରତିଭା ବିକାଶ ଓ ଗ୍ରାମର ସାମାଜିକ ଉନ୍ନତିରେ କ୍ଲବ୍ ଏକ ସକାରାତ୍ମକ ଭୂମିକା ନେବ ବୋଲି ଆଶା ପ୍ରକାଶ ପାଇଛି।
