ରାୟଗଡ/କ୍ରାନ୍ତିକ୍ଷେତ୍ର: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କର ଅଧକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରମେଶ କୁମାର ଜେନା, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର , ବ୍ଲକ ଅଧ୍ୟକ୍ଷ କଣ୍ଠମାଝି, ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ମୋଟ ୧୩୧ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୧୦୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୨୪ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା। ୬ ଜଣ ନୂତନ ପେନସନ ହିତାଧିକାରୀଙ୍କୁ ପେନସନ ବଣ୍ଟନ କରାଗଲା। ଏହାସହ ୨ ଜଣ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ହ୍ୱିଲଚେୟାର ପ୍ରଦାନ କରାଗଲା। ଏହି ଅଭିଯୋଗ ଶିବିରରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ। ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
