ଛତ୍ରପୁର/କ୍ରାନ୍ତିକ୍ଷେତ୍ର (ନୀଳକଣ୍ଠ ମିଶ୍ର) : ଗଞ୍ଜାମ ଜିଲ୍ଲା ଗସ୍ତରେ ଓଡ଼ିଶା ବିଧାନସଭାର ଗୃହ କମିଟି। ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କମିଟି ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସ୍ଥିତି, କାର୍ଯ୍ୟ ଅଗ୍ରଗତି ଏବଂ ଜନସ୍ୱାର୍ଥ ସମ୍ପର୍କିତ ସମସ୍ୟାର ସମୀକ୍ଷା କରିଛି। କମିଟିରେ ଆସିକା ବିଧାୟକ ସରୋଜ ପାଢ଼ୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତି, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସାମିଲ ଥିଲେ। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ଜିଲ୍ଲା ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ମଧ୍ୟ କମିଟି ସହ ଉପସ୍ଥିତ ଥିଲେ।
ଗସ୍ତର ପ୍ରଥମ ପର୍ଯ୍ୟାୟରେ କମିଟି ଆସିକା ଲକ୍ଷ୍ମୀ ବଜାର ନିକଟସ୍ଥ ଟିପିସର ନାଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ଡ୍ୟାମ୍, ଋଷିକୁଲ୍ୟା ଓ ବଡ଼ନଦୀ ଉପରେ ନିର୍ମାଣାଧୀନ ହାଇ ଲେଭେଲ୍ ବ୍ରିଜ୍, ଆସିକା ବାଇପାସ୍ ରାସ୍ତା ଏବଂ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ପରେ ଆସିକା ପୌର ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କମିଟିର ବୈଠକ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ, ଜନସାଧାରଣଙ୍କ ସମସ୍ୟା ଏବଂ ବିଧାନସଭାରେ ଉତ୍ଥାପିତ ସବମିଶନଗୁଡ଼ିକର କାର୍ଯ୍ୟାନ୍ୱୟନ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଆସିକା ନିର୍ବାଚନମଣ୍ଡଳୀର ପାନୀୟ ଜଳ ସମସ୍ୟା, ଆସିକା ସହରର ଜଳ ନିଷ୍କାସନ ବ୍ୟବସ୍ଥା, କବିସୂର୍ଯ୍ୟନଗର ଅଞ୍ଚଳରେ ସାଲିଆ ଡ୍ୟାମ୍ ମାଧ୍ୟମରେ ଜଳସେଚନ, ଛତ୍ରପୁର ମୁଖ୍ୟ କେନାଲର ନବୀକରଣ ଏବଂ ଖଲ୍ଲିକୋଟ ଅଞ୍ଚଳର ସାମଲ ଭିଲେଜ୍ରେ ସୁରକ୍ଷା ପ୍ରାଚୀର ନିର୍ମାଣ ଭଳି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା।
ସେହିପରି ପାତ୍ରପୁର ବ୍ଲକ୍ର ଗୌଡୁଣୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ, ପାତ୍ରପୁର ତହସିଲ କର୍ମଚାରୀଙ୍କ ପାଇଁ ସରକାରୀ କ୍ୱାର୍ଟର, ପୋଲିସ ଆଉଟ୍ପୋଷ୍ଟ ପ୍ରତିଷ୍ଠା, ଲାଠି ପଞ୍ଚାୟତରେ ଡାଏରିଆ ଓ ଡେଙ୍ଗୁ ପ୍ରତିରୋଧମୂଳକ ପଦକ୍ଷେପ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଦିଗପହଣ୍ଡି ପିଏଚ୍ସିକୁ ସିଏଚ୍ସିରେ ଉନ୍ନୀତ କରିବା, କବିସୂର୍ଯ୍ୟନଗରରେ ବସୁଧା ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଣ, ବେଗୁନିଆପଡ଼ା ପିଏଚ୍ସିକୁ ସିଏଚ୍ସିରେ ପରିଣତ କରିବା ଏବଂ ଚାଷୀଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ଭଳି ପ୍ରସଙ୍ଗ ମଧ୍ୟ କମିଟିର ଆଲୋଚନାରେ ରହିଥିଲା। ଏଥିସହ ବୋମ୍କେଇ ପାଟ୍ଟ ଶାଢ଼ି ବୁଣାକାରଙ୍କୁ ପ୍ରଶିକ୍ଷଣ, କବିସୂର୍ଯ୍ୟନଗରରେ ଟ୍ରେଜେରୀ କାର୍ଯ୍ୟାଳୟ ପ୍ରତିଷ୍ଠା ଏବଂ ଆସିକା ସ୍ପିନିଂ ମିଲ୍ର କାର୍ଯ୍ୟକ୍ଷମତା ନେଇ ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା।
ଜିଲ୍ଲାର ଭିତ୍ତିଭୂମି, ଜଳସେଚନ, ପାନୀୟ ଜଳ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗାଯୋଗ ଭଳି ଜନସ୍ୱାର୍ଥ ସମ୍ପର୍କିତ ବିଷୟକୁ କମିଟି ଗୁରୁତ୍ୱ ଦେଇଛି। ଅନୁମୋଦିତ ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସାରି ଏହାର ସୁଫଳ ଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚାଇବାକୁ କମିଟି ଅଧିକାରୀମାନଙ୍କୁ ପରାମର୍ଶ ଦେଇଛି।
ଗଞ୍ଜାମର ବିକାଶ ଓ ଜନସ୍ୱାର୍ଥ ସମସ୍ୟାର ସମାଧାନ ଦିଗରେ ବିଧାନସଭା ଗୃହ କମିଟିର ଏହି ସମୀକ୍ଷା ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

