ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ଓ ବିଷୟ ନେତୃତ୍ୱକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାର ରୁଷିଆ ମେହେର ଯୋଗଦେଇ ବିଦ୍ୟାଳୟ ଗୁଡ଼ିକର ଶୈକ୍ଷିକ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉନ୍ନତ ଫଳାଫଳ ପାଇଁ ଆବଶ୍ୟକ ଦିଗ୍ଦର୍ଶନ ପ୍ରଦାନ କରିଥିଲେ। ନୋଡାଲ୍ ପ୍ରଧାନଶିକ୍ଷକ ସୁଜାତା ମଲ୍ଲିକ ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ। ସମ୍ମିଳନୀରେ ଆଗାମୀ ଏଏଚ୍ଏସସି–୨୦୨୭ ପରୀକ୍ଷା ପାଇଁ ପ୍ରସ୍ତୁତି, ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ଯୋଜନା ଓ ଶିକ୍ଷାର ଗୁଣାତ୍ମକ ଉନ୍ନତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ପରୀକ୍ଷାରେ ଏ-୧ ଓ ଏ-୨ ଗ୍ରେଡ୍ ହାସଲ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ନିୟମିତ ଓ ଉପଯୁକ୍ତ ମାର୍ଗଦର୍ଶନ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଲାଞ୍ଜିଗଡ଼ ବ୍ଲକର ସମସ୍ତ ବିଦ୍ୟାଳୟରେ ୧୦୦ ପ୍ରତିଶତ ପାସ୍ ଫଳାଫଳ ହାସଲ କରିବା ସହ ଶିକ୍ଷାର ମାନ ବୃଦ୍ଧି ପାଇଁ ସମସ୍ତ ପ୍ରଧାନଶିକ୍ଷକ ଓ ବିଷୟ ନେତୃତ୍ୱକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ସମ୍ମିଳନୀରେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଷୟ ନେତୃତ୍ୱକାରୀମାନେ ଯୋଗଦେଇଥିଲେ।
