କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଧୀନ ବରଗାଁ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରଭାବିତ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସମସ୍ୟା ଏବେ ଲୋକଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟିଛି। ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୩୬ ଖଣ୍ଡ ଗାଁର ଲୋକେ ଜିଓ ମୋବାଇଲ୍ ଟାୱାରର ଦୁର୍ବଳ ନେଟୱର୍କ ଯୋଗୁଁ ନିୟମିତ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅନେକ ସମୟରେ ମୋବାଇଲ୍ରେ ଠିକ୍ ଭାବେ ନେଟୱର୍କ ଆସୁନଥିବାରୁ ସାଧାରଣ ଫୋନ୍ କଲ୍ କରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ବିଶେଷକରି ରାତି ସମୟରେ କିମ୍ବା ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ, ପୁଲିସ, ଅଗ୍ନିଶମ ବିଭାଗ କିମ୍ବା ପରିବାରବର୍ଗଙ୍କୁ ତୁରନ୍ତ ଫୋନ୍ କରିବାରେ ସମସ୍ୟା ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ନେଟୱର୍କ ସମସ୍ୟାର ସବୁଠାରୁ ବଡ଼ ପ୍ରଭାବ ପଡ଼ୁଛି ଛାତ୍ରଛାତ୍ରୀଙ୍କ ଉପରେ। ଅନଲାଇନ୍ କ୍ଲାସ୍, ଶିକ୍ଷାମୂଳକ ଭିଡିଓ, ଅନଲାଇନ୍ ପରୀକ୍ଷା ଓ ବିଭିନ୍ନ ଡିଜିଟାଲ୍ ଶିକ୍ଷା ସାମଗ୍ରୀ ବ୍ୟବହାର କରିବା ସମୟରେ ନେଟୱର୍କ ବାରମ୍ବାର କଟିଯାଉଥିବା ଅଭିଯୋଗ ରହିଛି। ଫଳରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ସହରାଞ୍ଚଳର ପିଲାଙ୍କ ତୁଳନାରେ ଡିଜିଟାଲ୍ ଶିକ୍ଷାରେ ପଛରେ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେବା ନେଇ ଲୋକେ ଟେଲିକମ୍ ବିଭାଗ ଓ ସମ୍ପୃକ୍ତ ଜିଓ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମାଞ୍ଚଳରେ ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ପାଇଁ ସରକାର ଗୁରୁତ୍ୱ ଦେଉଥିବା ବେଳେ ବରଗାଁ ପଞ୍ଚାୟତର ଏଭଳି ସ୍ଥିତି କାହିଁକି ରହିଛି ବୋଲି ପ୍ରଶ୍ନ ଉଠିଛି। ୩୬ ଖଣ୍ଡ ଗାଁର ଲୋକଙ୍କ ଦୈନନ୍ଦିନ ଯୋଗାଯୋଗ, ଜରୁରୀ ସେବା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ସିଧାସଳଖ ଜଡ଼ିତ ଏହି ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଟେଲିକମ୍ କମ୍ପାନୀକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଡିଜିଟାଲ୍ ଯୁଗରେ ମଧ୍ୟ ଯଦି ୩୬ ଖଣ୍ଡ ଗାଁର ଲୋକେ ଜରୁରୀ ସମୟରେ ଫୋନ୍ କରିପାରୁନାହାନ୍ତି, ତେବେ ଏହାଠାରୁ ବଡ଼ ଅବହେଳା ଆଉ କ’ଣ ହୋଇପାରେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିବା ସହ ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଦାବି ଜଣାଇଛନ୍ତି।
