କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧରକର୍ମୀ) : ଗ୍ରାମାଞ୍ଚଳରେ ଉନ୍ନୟନମୂଳକ କାମ ନାଁରେ ଭଲ ରାସ୍ତାକୁ ଖୋଳି ଦେଇ ମରାମତି ନକରି ଛାଡ଼ିଦେବା ଘଟଣା ଏବେ ସାଧାରଣ ଅଭିଯୋଗରେ ପରିଣତ ହୋଇଛି। ଏଭଳି ଏକ ଅଭିଯୋଗ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅଧୀନ ମାଲପଡ଼ା ଗ୍ରାମ୍ୟ ରାସ୍ତାକୁ ନେଇ ସାମ୍ନାକୁ ଆସିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏଲ୍ ଆଣ୍ଡ୍ ଟି କମ୍ପାନୀ ପକ୍ଷରୁ ପାଇପ୍ ନେବା ପାଇଁ ଗାଁର ଭଲ ରାସ୍ତାକୁ ମନଇଚ୍ଛା କାଟି ଦିଆଯାଇଥିଲା। ପାଇପ୍ କାମ ସରିବା ପରେ ରାସ୍ତାରେ କେବଳ ମାଟି ପକାଇ ସମତୁଲ କରିଦିଆଯାଇଥିବା ବେଳେ ରାସ୍ତାର ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ମରାମତି କରାଯାଇନଥିବା ଅଭିଯୋଗ ହୋଇଛି। ଏବେ ବର୍ଷା ହେବା ପରେ ପକାଯାଇଥିବା ମାଟି ଦବିଯାଇଛି। ଫଳରେ ରାସ୍ତା ମଝିରେ ବଡ଼ ବଡ଼ ଗାତ ଓ ଖାଲ ସୃଷ୍ଟି ହୋଇ ଯାତାୟାତ ବିପଜ୍ଜନକ ହୋଇପଡ଼ିଛି। ବାଇକ୍, ସାଇକେଲ୍ ଓ ଅନ୍ୟ ଯାନବାହନ ଚଳାଚଳ ସମୟରେ ଚାଳକମାନେ ଅସୁବିଧାରେ ପଡ଼ୁଥିବା ବେଳେ ଏପରିକି ଦୁର୍ଘଟଣା ମଧ୍ୟ ଘଟୁଥିବା ଗ୍ରାମବାସୀ କହିଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁଁ ଗାଁର ଲୋକଙ୍କ ଦୈନନ୍ଦିନ ଯାତାୟାତ ବାଧାପ୍ରାପ୍ତ ହେଉଛି। ବର୍ଷା ସମୟରେ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ରାସ୍ତାର ଏଭଳି ଅବସ୍ଥା ପ୍ରତି କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ବିଭାଗ ଦୃଷ୍ଟି ନଦେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଶେଷରେ ନିଜ ଅସୁବିଧା ନିଜେ ଦୂର କରିବାକୁ ବାଧ୍ୟ ହୋଇଛନ୍ତି ମାଲପଡ଼ା ଗ୍ରାମବାସୀ। ରାସ୍ତାର ଖାଲ ଓ ଦବିଯାଇଥିବା ସ୍ଥାନରେ ଗଛର ଡାଳ ପକାଇ ଏହାକୁ ସମତୁଲ କରିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁ ରାସ୍ତାକୁ ଲୋକଙ୍କ ସୁବିଧା ପାଇଁ ଠିକ୍ ରଖିବା କଥା, ସେହି ରାସ୍ତାକୁ ଲୋକେ ନିଜେ ଗଛ ଡାଳ ପକାଇ ଚଳାଚଳ ଯୋଗ୍ୟ କରୁଥିବା ଘଟଣା ପ୍ରଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛି। ଗ୍ରାମବାସୀଙ୍କ ଅଭିଯୋଗ, ରାସ୍ତା କାଟି ପାଇପ୍ ବିଛାଇବା ପରେ କେବଳ ମାଟି ପକାଇ କାମ ସାରିଦେଲେ ଦାୟିତ୍ୱ ଶେଷ ହୁଏନାହିଁ। ରାସ୍ତାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ଏବଂ ଲୋକଙ୍କ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା କମ୍ପାନୀ ଓ ସମ୍ପୃକ୍ତ ବିଭାଗର ଦାୟିତ୍ୱ ବୋଳି ଗ୍ରାମବାସୀ କହୁଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେବାକୁ ଦାବୀ ହେଉଛି।
