କୁଆଁରଗାଁ ଓ କଂସରରେ ଚାଲିଥିବା ପାଣି ଟାଙ୍କି କାମ ନିମ୍ନମାନର ଅଭିଯୋଗ

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଏବେ ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ନିର୍ମାଣ କାମ ଜୋରସୋରେ ଚାଲିଛି। କିନ୍ତୁ ଏହି କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଗ୍ରାମବାସୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସବୁଠାରୁ ବଡ ଅଭିଯୋଗ ହେଲା, କାମ ଚାଲିଥିବା ସ୍ଥାନରେ ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀଙ୍କୁ ଦେଖିବାକୁ ମିଳୁନାହିଁ। ଏହାର ପ୍ରତ୍ୟକ୍ଷ ଉଦାହରଣ କୁଆଁରଗାଁ ଓ କଂସର ପଞ୍ଚାୟତରେ ଦେଖିବାକୁ ମିଳିଛି। ୫ଟି ସ୍କୁଲ ପାଖରେ ପାଣି ଟାଙ୍କି କାମ ଚାଲିଥିବା ବେଳେ ସେଠାରେ କାମ କରୁଥିବା ଶ୍ରମିକମାନଙ୍କୁ ପଚାରିବାରୁ ଯେ ଠିକାଦାର ଓ ଯନ୍ତ୍ରୀ କେବେ କେବେ ଆସନ୍ତି? ଉତ୍ତରେ ଶ୍ରମିକମାନେ କିଛି ସଠିକ୍ ଉତ୍ତର ଦେଇପାରିନଥିଲେ। ଅନ୍ୟପଟେ ଗ୍ରାମବାସୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ କାମ ସମ୍ପୂର୍ଣ୍ଣ ନିମ୍ନମାନର ହେଉଛି। ସରକାରୀ ଶପଥ ପାଠ ଅନୁସାରେ କାମ ହେଉନାହିଁ। ଏନେଇ କୁଆଁରଗାଁ ଓ କଂସରର ଶିକ୍ଷିତ ଯୁବକମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛନ୍ତି। ସେମାନଙ୍କ ଦାବି, ଏହି କାମ ଠିକ୍ ଭାବରେ ଏବଂ ଗୁଣାତ୍ମକ ମାନ ସହ ହେବା ଦରକାର। ଏ ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ସରକାର ଗାଁ ଗାଁକୁ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ତଳ ସ୍ତରରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନେ ନିଜ ମନମାନି କରୁଛନ୍ତି।ଅନ୍ୟ ଏକ ଚର୍ଚ୍ଚା ଶୁଣିବାକୁ ମିଳୁଛି ଯେ, ଏହି କାମରନ ଠିକାଦାର ବାହାର ଜିଲ୍ଲାର ହୋଇଥିବାରୁ ସେ ନିୟମିତ କାମ ଦେଖିବାକୁ ଆସିପାରୁନାହାନ୍ତି, ଯାହା ଫଳରେ ଶ୍ରମିକମାନେ ନିଜ ଇଚ୍ଛା ଅନୁସାରେ କାମ କରୁଛନ୍ତି।ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ତଦନ୍ତ କରି ଗୁଣାତ୍ମକ କାମ ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *