ଲଗାଣ ବର୍ଷାରେ ଉବୁଟୁବୁ କୋକସରା ଅଞ୍ଚଳ- ପୋଲ ଭାଙ୍ଗିଲା, ରାସ୍ତା ଧୋଇଗଲା ; ଘରେ ପଶିଲା ପାଣି

କୋକସରା/କ୍ରାନ୍ତିକ୍ଷେତ୍ର : ଗତ କାଲିଠାରୁ ଲାଗି ରହିଥିବା ଅବିଶ୍ରାନ୍ତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ସୃଷ୍ଟି ହୋଇଛି ସଙ୍ଗୀନ ପରିସ୍ଥିତି। ପ୍ରାୟ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ଏହି ଜଳପ୍ରଳୟ ଫଳରେ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଚଳିତ ବର୍ଷର ସର୍ବାଧିକ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ମିଳିଛି। ବ୍ଲକର ପ୍ରମୁଖ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି-ଡୋକରୀ ଚଞ୍ଚରା ମୁଖ୍ୟ ରାସ୍ତାର ଖଲିଗଡ଼ ସ୍ଥିତ ଡୁମେରଦର ବ୍ରିଜ୍‌ଟି ବର୍ଷା ଜଳରେ ଧୋଇଯାଇଛି। ରାସ୍ତା ଉପରେ ପ୍ରବଳ ଜଳସ୍ରୋତ ବୋହୁଥିବାରୁ ଏହି ମାର୍ଗରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

କୁଲୁରଗୁଡ଼ା-ଟେମରା କୁ ସଂଯୋଗ ରାସ୍ତାରେ ଥିବା ବେହେରା ନାଲାର ଖୁର୍ସେଲଗୁଡ଼ା ବ୍ରିଜ୍‌ରେ ବଡ଼ ଘାଇ ସୃଷ୍ଟି ହୋଇ ପାଣି ଗାଁ ଭିତରକୁ ମାଡ଼ିଆସିଛି। ଲଡୁଗାଁ-ସୁପାଡ ରାସ୍ତାରେ ଥିବା ଅସ୍ଥାୟୀ ପୋଲ ଭାଙ୍ଗିଯିବାରୁ ଯାତାୟାତ ଠପ୍ ହୋଇଯାଇଛି। ୨୬ ନମ୍ବର ଜାତୀୟ ରାଜପଥର କୁସୁମଖୁଣ୍ଟି ନିକଟରେ ଏକ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା, ଯାହାକୁ ଅଗ୍ନିଶମ ବାହିନୀ ସଫା କରିଛନ୍ତି। ଖୁଣ୍ଟିଆ ପଞ୍ଚାୟତର ବାରବଖରା ଗାଁର ୫ଟି ପରିବାର ଚାଷ ଜମିକୁ ଯାଇଥିବା ବେଳେ ମୁଟୁରା ନଦୀରେ ହଠାତ୍ ପାଣି ବଢ଼ିଯିବାରୁ ଫସି ରହିଥିଲେ। ଧର୍ମଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡିଛି। ସେହିପରି ମୁଟୁରା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କାଉଡୋଲା, ଚିକିଲି ଆଦି ଗାଁର ଏକାଧିକ ଘରେ ପାଣି ପଶିଯାଇଛି। ତେବେ ଚିକିଲି ଗ୍ରାମର ୨ ପରିବାର ଘର ଭାଙ୍ଗି ଯାଇଥିବା ବେଳେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି, ଏବଂ ପାଣି ପସିଥିବା ଅନ୍ୟ ୩ ପରିବାରଙ୍କୁ ପଞ୍ଚାୟତ ପକ୍ଷରୁ ବିଦ୍ୟାଳୟରେ ଆଶ୍ରୟ ଦେଇଥିବା ଏବଂ  ସେମାନଙ୍କୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। କୋକସରା ଅବକାରୀ ଥାନାର ଅସ୍ଥାୟୀ କାର୍ଯ୍ୟାଳୟରେ ମଧ୍ୟ ପାଣି ପଶି ଯାଇଛି।

ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଦାବ୍ରିଗୁଡା, ସର୍ଗିଗୁଡା ସମେତ ବ୍ଳକର ଅନେକ ସ୍ଥାନରେ ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଛି। ବାଞ୍ଜିବାହାଲରେ ୩ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଖରାପ ହେବା ସହ ବଡ଼ପୋଡ଼ାଗୁଡ଼ା ଅଞ୍ଚଳର ଏକାଧିକ ବିଦ୍ୟୁତ୍ ଖୁଣ୍ଟ ବିପଦପୂର୍ଣ୍ଣ ଭାବେ ଢଳି ପଡ଼ିଥିବାରୁ ଅଞ୍ଚଳରେ ଦିର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବ୍ୟାଘାତ ହୋଇଥିଲା। ସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନ ସମେତ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଏନେଇ ବିଡ଼ିଓ ଶ୍ରୀମାଝୀ ‘ପ୍ରଭାବିତ ଅଞ୍ଚଳଗୁଡ଼ିକ ଅନୁଧ୍ୟାନ କରାଯାଇଛି ଏବଂ ଲୋକଙ୍କୁ ସଚେତନ କରାଯାଉଛି, ବର୍ଷା କମିବା ପରେ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରାଯିବ ବୋଲି ପ୍ରତିକ୍ରିୟାରେ ଦେଇଛନ୍ତି। ଅନ୍ୟପଟେ କୋକସରା ବ୍ଲକ ଉପାଧ୍ୟକ୍ଷ ମଧ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସଚେତନ କରିବା ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ବେହେରା ଓ ମୁଟୁରା ନଦୀକୂଳିଆ ଲୋକଙ୍କୁ ନଦୀ ପାଖକୁ ନଯିବାକୁ ଏବଂ ଡୋକରୀ ଚଞ୍ଚରା ବ୍ରିଜ୍ ଭାଙ୍ଗିଯାଇଥିବାରୁ ବୋଲ୍ ବମ୍ ଭକ୍ତ ଓ ସାଧାରଣ ଲୋକଙ୍କୁ ସେଠାକୁ ନଯିବା ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *