ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ବିଧବା ଜୀବନ ବିତାଇ ଆସୁଥିବା ଜଣେ ୬୪ ବର୍ଷୀୟା ମହିଳା ଏବେ ବି ସରକାରୀ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ୍ଡେଲଗୁଡା ଗାଁର ନଡ଼ିଆ ବେୱା (୬୪)ଙ୍କ ସ୍ୱାମୀ ସ୍ୱର୍ଗତ ଚଣ୍ଡାଲ ନାଏକଙ୍କ ମୃତ୍ୟୁକୁ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ହୋଇସାରିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଦୀର୍ଘବର୍ଷ ଧରି ଏକାକୀ ଜୀବନ ଯାପନ କରୁଥିବା କୁହାଯାଉଛି। ବର୍ତ୍ତମାନ ତାଙ୍କ ବୟସ ୬୪ ବର୍ଷ। ତେଣୁ ସେ ବିଧବା ଭତ୍ତା ସହ ବୟସ ଆଧାରିତ ବୃଦ୍ଧା ଭତ୍ତା ପାଇବା ପାଇଁ ଯୋଗ୍ୟତା ରଖୁଥିବା ଦାବି କରାଯାଇଛି। ତଥାପି ଏପର୍ଯ୍ୟନ୍ତ ସେ ଭତ୍ତା ପାଇପାରି ନଥିବାରୁ ତାଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ବଣ୍ଡେଲଗୁଡା ୱାର୍ଡ ମେମ୍ବର, ପଞ୍ଚାୟତ ସଚିବ, ସରପଞ୍ଚ ଏବଂ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧିମାନେ ତୁରନ୍ତ ଦୃଷ୍ଟି ଦେଇ ନଡ଼ିଆ ବେୱାଙ୍କ ମାମଲାର ଯାଞ୍ଚ କରିବା ସହ ନିୟମ ଅନୁଯାୟୀ ତାଙ୍କୁ ଯୋଗ୍ୟ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଦୀର୍ଘବର୍ଷ ଧରି ବିଧବା ଜୀବନ ବିତାଇଥିବା ଏବଂ ବର୍ତ୍ତମାନ ୬୪ ବର୍ଷ ବୟସରେ ପହଞ୍ଚିଥିବା ଏହି ମହିଳାଙ୍କୁ ସରକାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ନକରି ତୁରନ୍ତ ପଦକ୍ଷେପ ନିଆଯିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
