ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍ସ୍ଥିତ ଆରୋରାଇସ୍ ଫୋର୍ ଏସ୍ ଫୋର୍ ଆର୍ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍ (FPO) ପକ୍ଷରୁ ଧାନ ଚାଷୀମାନଙ୍କୁ ନେଇ ସୁଗନ୍ଧିତ ଧାନ ଚାଷ (Aromatic Rice) ଉପରେ ଏକ ବିଶେଷ କୃଷକ ପ୍ରଶିକ୍ଷଣ ଶିବିର ରାଇକିଆସ୍ଥିତ ସାହାରା ଏନ୍ଜିଓ ସଭାଗୃହ ଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (CRRI) ର ସିନିୟର ସାଇଣ୍ଟିଷ୍ଟ ଡ. ସୂତପା ସରକାର, ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ଅବସରପ୍ରାପ୍ତ ସିନିୟର ସାଇଣ୍ଟିଷ୍ଟ ତଥା କନ୍ସଲଟାଣ୍ଟ ଡ. ଆର୍. କେ. ସାହୁ, ବୈଜ୍ଞାନିକ ଶୋଭାରାଣୀ ଏମ୍. ଏବଂ ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ ଡ. ସୁଶାନ୍ତ କୁମାର ନାୟକ ଯୋଗଦେଇଥିଲେ। ବିଶେଷଜ୍ଞମାନେ ସୁଗନ୍ଧିତ ଧାନର ବିଭିନ୍ନ କିସମ, ବୈଜ୍ଞାନିକ ଚାଷ ପଦ୍ଧତି, ଚାରା ରୋପଣ, ମାଟି ପ୍ରସ୍ତୁତି, ବେଡ୍ ପ୍ରଣାଳୀ, ଧାଡ଼ିରେ ରୁଆ, ଜଳସେଚନ ଏବଂ ଉନ୍ନତ ଚାଷ ପରିଚାଳନା ସମ୍ପର୍କରେ ଉପସ୍ଥିତ ଧାନ ଚାଷୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିସହ ସୁଗନ୍ଧିତ ଧାନର ଉତ୍ତମ ଗୁଣବତ୍ତା, ଅଧିକ ଉତ୍ପାଦନ ଏବଂ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ବିଭିନ୍ନ କୃଷି ପ୍ରଣାଳୀ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ବିଶେଷ କୃଷକ ପ୍ରଶିକ୍ଷଣ ଶିବିରକୁ ଏଫ୍ପିଓର ଏମ୍.ଡି. ସୁକାନ୍ତ ନାୟକ ପରିଚାଳନା କରିଥିବା ବେଳେ ସିଇଓ ବାଦଲ ଦେବ ଏବଂ ଏଫ୍ପିଓର ନିର୍ଦ୍ଦେଶିକା ଶ୍ରୀମତୀ ମୀରା ପ୍ରଧାନ ଶିବିରର ସୁଚାରୁ ସଂଯୋଜନା କରିଥିଲେ। ଏହି ଅବସରରେ ବରିଷ୍ଠ ଚାଷୀ ପ୍ରଦୀପ କୁମାର ପ୍ରଧାନ, ଅକ୍ଷୟ ପ୍ରଧାନ, ସୁବାସ ପ୍ରଧାନ, ମଣ୍ଡେଲାୱାର ପ୍ରଧାନ ଏବଂ ବାବୁ ପରିଚ୍ଛାଙ୍କ ସମେତ ବହୁ ଧାନ ଚାଷୀ ଉପସ୍ଥିତ ଥିଲେ। ଶେଷରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଶ୍ରୀମତୀ ସପନା ରାଣୀ ପାଣ୍ଡବ ଉପସ୍ଥିତ ସମସ୍ତ ବିଶେଷଜ୍ଞ, ଅତିଥି ଏବଂ କୃଷକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ରାଇକିଆ ବ୍ଲକ୍ରେ ସୁଗନ୍ଧିତ ଧାନ ଚାଷର ପ୍ରସାର, ଉତ୍ପାଦନ ବୃଦ୍ଧି, ଉତ୍ତମ ଗୁଣବତ୍ତାର ଚାଉଳ ଉତ୍ପାଦନ ଏବଂ ଚାଷୀମାନଙ୍କ ଆୟ ବୃଦ୍ଧି ଦିଗରେ ଏକ ନୂତନ ପଦକ୍ଷେପ ନିଆଯାଇଛି।
