ଛତ୍ରପୁର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା) : ଆସନ୍ତା ୨୭ ତାରିଖରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।
ଗସ୍ତ ପୂର୍ବରୁ ମଙ୍ଗଳବାର ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ୍ ପରିସରରେ ବିଭିନ୍ନ ବ୍ୟବସ୍ଥାର ସ୍ଥଳ ପରିଦର୍ଶନ କରାଯାଇ ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ସମୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍., ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।
ସ୍ଥଳ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆଗମନ ପାଇଁ ହେଲିପ୍ୟାଡ୍ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ସେବା, ବିଦ୍ୟୁତ୍ ଯୋଗାଣ, ପାନୀୟଜଳ ସମେତ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରାଯାଇଥିଲା । ଗସ୍ତ ସମୟରେ ଯେପରି କୌଣସି ପ୍ରକାରର ଅବ୍ୟବସ୍ଥା କିମ୍ବା ଅସୁବିଧା ସୃଷ୍ଟି ନହୁଏ, ସେଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ ଦିଗ୍ଦର୍ଶନ ଦିଆଯାଇଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୁଲିସ ପକ୍ଷରୁ ସମନ୍ୱିତ ଭାବେ ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥା କରାଯାଉଛି। କାର୍ଯ୍ୟକ୍ରମକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସଫଳ କରିବା ପାଇଁ ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି।
ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବଢ଼ିଥିବା ବେଳେ, ଗସ୍ତକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

