ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ, ଦୁଇ ଦିନ ହେଲା ଗ୍ରାମବାସୀଙ୍କ ଶ୍ରମଦାନ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ଗତ ୨୧ ଓ ୨୨ ତାରିଖର ଲଗାଣ ବର୍ଷାରେ ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଡ଼ସିଲ ଗ୍ରାମରୁ ତଳ ହାଡ଼ସିଲ ପଡ଼ାକୁ ଯାଇଥିବା ରାସ୍ତା ଅବରୋଧ ହୋଇଯାଇଛି। ପାହାଡ଼ରୁ ବଡ଼ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ିଥିବାରୁ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି। ରାସ୍ତା ଅବରୋଧ ନେଇ ପଞ୍ଚାୟତ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ନିଜେ ଦୁଇ ଦିନ ଧରି ରାସ୍ତାରୁ ମାଟି ଓ ଅବରୋଧ ହଟାଇବା କାମରେ ଲାଗିଛନ୍ତି। ଏହି ରାସ୍ତା ପଡ଼ାବାସୀଙ୍କ ଏକମାତ୍ର ମୁଖ୍ୟ ଯାତାୟତ ମାର୍ଗ ହୋଇଥିବାରୁ ସମସ୍ୟା ଅଧିକ ଗୁରୁତର ହୋଇଛି। ସୂଚନା ଅନୁସାରେ, କିଛି ବର୍ଷ ପୂର୍ବରୁ ତଳ ହାଡ଼ସିଲ ପଡ଼ାକୁ ଯିବା ପାଇଁ ରାସ୍ତା ନଥିଲା। ପ୍ରାୟ ୨୦ଟି ପରିବାର ରହୁଥିବା ଏହି ପଡ଼ାବାସୀ ରାସ୍ତା ଅଭାବରୁ ଦୀର୍ଘଦିନ ଧରି ନାନା ସମସ୍ୟା ଭୋଗୁଥିଲେ। ନଳକୂପ ଗାଡ଼ି ପହଞ୍ଚି ପାରୁନଥିବାରୁ ଲୋକେ ଝରଣା ପାଣି ବ୍ୟବହାର କରୁଥିଲେ। ଏଥିଯୋଗୁଁ ଜ୍ୱର, ଝାଡ଼ା, ବାନ୍ତି ଭଳି ରୋଗର ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନଥିଲା। ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପ୍ରାୟ ୨ କିଲୋମିଟର ପାହାଡ଼ିଆ ପାଦଚଲା ରାସ୍ତା ଦେଇ ଖଟିଆରେ ବୋହି ଆର୍‌.ଡି. ରାସ୍ତା ପର୍ଯ୍ୟନ୍ତ ନେବାକୁ ପଡ଼ୁଥିଲା। ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ପୂର୍ବତନ ସରପଞ୍ଚ ଶ୍ରୀମତୀ ସମ୍ବାରି ମାଝୀଙ୍କ ଉଦ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷରେ ସିଏଫ୍‌ସି ଫଣ୍ଡରେ ଘାଟ କଟିଂ ଓ କଂକ୍ରିଟ ରାସ୍ତା ଏବଂ ମନରେଗା ଯୋଜନାରେ ମେଟାଲ ମୁରୁମ ରାସ୍ତା ନିର୍ମାଣ ହୋଇଥିଲା। ରାସ୍ତା ନିର୍ମାଣ ପରେ ପାନୀୟଜଳ ସମସ୍ୟା ଦୂର କରିବାକୁ ନଳକୂପ ଖନନ କରାଯାଇଥିବା ସହ ଜଙ୍ଗଲ ଓ ପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ହିଂସ୍ର ଜନ୍ତୁଙ୍କ ଭୟକୁ ଦୃଷ୍ଟିରେ ରଖି ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ଲଗାଯାଇଥିଲା ବୋଲି ସମାଜସେବୀ ଶଙ୍କର ପ୍ରସାଦ ନାଏକ କହିଛନ୍ତି। ତେବେ ବର୍ତ୍ତମାନ ରାସ୍ତା ଅବରୋଧ ହୋଇଥିଲେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପଡ଼ାବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତାରୁ ମାଟି ହଟାଇ ଯାତାୟାତ ସ୍ୱାଭାବିକ କରିବା ସହ ଭବିଷ୍ୟତରେ ଏଭଳି ଅତଡ଼ା ଖସିବା ରୋକିବା ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ପଡ଼ବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *